ପୂର୍ବତନ କେନ୍ଦ୍ରମନ୍ତ୍ରୀ ହଂସରାଜ ଭରଦ୍ୱାଜଙ୍କ ଦେହାନ୍ତ । ୮୨ ବର୍ଷ ବୟସରେ ପରଲୋକ ।

129

କନକ ବ୍ୟୁରୋ : କର୍ଣ୍ଣାଟକ ଓ କେରଳର ପୂର୍ବତନ ରାଜ୍ୟପାଳ ତଥା ପୂର୍ବତନ ଆଇନମନ୍ତ୍ରୀ ହଂସରାଜ ଭରଦ୍ୱାଜଙ୍କ ଆଜି ପରଲୋକ ହୋଇଯାଇଛି । ସେ ୮୨ ବର୍ଷ ବୟସରେ ଅନ୍ତିମ ଶ୍ୱାସକ୍ରିୟା ନେଇଛନ୍ତି । ହଂସରାଜ ଭରଦ୍ୱାଜ କଂଗ୍ରେସର ବରିଷ୍ଠ ନେତାଙ୍କ ମଧ୍ୟରୁ ଜଣେ ଥିଲେ । ଆସନ୍ତାକାଲି ଅର୍ଥାତ ସୋମବାର ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ସୋମବାର ଅପରାହ୍ନ ୪ଟାରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ତାଙ୍କ ପରିବାର ଲୋକେ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଦିଲ୍ଲୀର ନିଗମ ବୋଧ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ହେବ ।

ସୂଚନାଯୋଗ୍ୟ ୧୯୩୭ ମସିହା ମେ’ ମାସ ୧୯ ତାରିଖରେ ହଂସରାଜ ଭରଦ୍ୱାଜ ଜନ୍ମଗ୍ରହଣ କରିଥିଲେ । ୟୁପିଏ ସରକାରରେ ସେ ଆଇନ ମନ୍ତ୍ରୀ ଭାବେ କାମ କରିଥିଲେ । ହଂସରାଜ ଭରଦ୍ୱାଜ ୨୦୦୪ ମେ’ ୨୨ ରୁ ୨୦୦୯ ମେ’ ୨୮ ଯାଏଁ ଆଇନ ମନ୍ତ୍ରୀ ଥିଲେ ।

ହଂସରାଜ ଭରଦ୍ୱାଜ ଆଇନ ମନ୍ତ୍ରୀ ହେବା ପରେ ରାଜ୍ୟପାଳ ଭାବେ ସେବା ପ୍ରଦାନ କରିଛନ୍ତି । ଭରଦ୍ୱାଜ କର୍ଣ୍ଣାଟକ ଓ କେରଳର ରାଜ୍ୟପାଳ ଥିଲେ । ସେ ୨୦୦୯ରୁ ୨୦୧୪ ଯାଏଁ କର୍ଣ୍ଣାଟକ ଏବଂ ୨୦୧୨ରୁ ୨୦୧୩ ପର୍ଯ୍ୟନ୍ତ କେରଳର ରାଜ୍ୟପାଳ ଥିଲେ । ଏତଦ୍‌ ବ୍ୟତୀତ ସେ ୧୯୮୨, ୧୯୮୪, ୨୦୦୦ ଏବଂ ୨୦୦୬ରେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ ।