ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ । କେନ୍ଦ୍ରରେ ପାଇଥିଲେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ : ଅଟଳବିହାରୀ ବାଜପେୟୀଙ୍କ ଥିଲେ ଘନିଷ୍ଠ ସହଯୋଗୀ

541

କନକ ବ୍ୟୁରୋ : ପରଲୋକରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଯଶୱନ୍ତ ସିଂ । ୮୨ ବର୍ଷ ବୟସରେ ତାଙ୍କର ନିଧନ ଘଟିଛି । ଯଶୱନ୍ତ ସିଂଙ୍କ ପରଲୋକରେ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ସମାଜସେବା ଏବଂ ରାଜନୀତିରେ ତାଙ୍କର ଭିନ୍ନ ଦୃଷ୍ଟିକୋଣ ପାଇଁ ତାଙ୍କୁ ସବୁ ଦିନ ମନେରଖାଯିବ ବୋଲି ଟୁଇଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବାଜପେୟୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ଯଶୱନ୍ତ ସିଂ । ଏନଡିଏର ପ୍ରଥମ ସରକାର ସମୟରେ ବିଦେଶ ଏବଂ ପ୍ରତିରକ୍ଷା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଥିଲା ତାଙ୍କ ହାତରେ ।

୧୯୯୯ରୁ ୨୦୦୪ ଯାଏଁ ସେ କେନ୍ଦ୍ର ମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ତାଙ୍କର ନିଧନ ବିଜେପିକୁ ଶକ୍ତ ଆଘାତ ପରି ହୋଇଛି । ଜଣେ ପ୍ରଭାବଶାଳୀ ସାଂସଦ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସମୟରେ ତାଙ୍କର ଅବଦାନ ସବୁ ବେଳେ ମନେ ରହିବ ବୋଲି ଟୁଇଟ୍ କରିଛନ୍ତି ରାଜନାଥ ସିଂ । ନିଜର ଜୀବନବ୍ୟାପି ସେ ଦେଶସେବାରେ ସମୟ ଦେଇ, ଶେଷରେ ଅନ୍ତିମ ଶ୍ୱାସ ତ୍ୟାଗ କରିଛନ୍ତି । ୧୯୬୦ ମସିହାରେ ସେ ପ୍ରଥମେ ଭାରତୀୟ ସେନାରୁ ମେଜର ପଦରୁ ଇସ୍ତଫା ଦେଇ ରାଜନୀତିରେ ପାଦ ରଖିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କର ସେ ଘନିଷ୍ଠ ବନ୍ଧୁ ଥିଲେ । ଅଟଳ ସରକାର ସମୟରେ ସେ ତାଙ୍କ ରାଜନୈତିକ ଜୀବନର ଶୀର୍ଷରେ ପହଁଚିଥିଲେ ।

୧୯୯୮ରୁ ୨୦୦୪ ମସିହା ଯାଏଁ କେନ୍ଦ୍ରରେ ଅର୍ଥ, ପ୍ରତିରକ୍ଷା ଏବଂ ବିଦେଶ ମନ୍ତ୍ରାଳୟ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ସଂଭାଳିଥିଲେ । ୧୯୯୯ ରେ କାନ୍ଦାହାର ବିମାନ ଅପହରଣ ଘଟଣାରେ ଯାତ୍ରୀଙ୍କୁ ମୁକୁଳାଇବାକୁ ଆତଙ୍କବାଦୀଙ୍କୁ ମୁକ୍ତ କରାଯାଇଥିଲା । ସେତେବେଳେ ଏହି ଘଟଣାକୁ ନେଇ କେନ୍ଦ୍ରରେ ପ୍ରତିରକ୍ଷା ବିଭାଗ ମନ୍ତ୍ରୀ ଥିବା ଯଶୱନ୍ତ ସିଂଙ୍କୁ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡିଥିଲା । ୨୦୦୯ ମସିହାରେ ଯଶୱନ୍ତଙ୍କ ଜିନ୍ନା, ଭାରତ ବିଭାଜନ ଏବଂ ସ୍ୱାଧୀନତା ପୁସ୍ତକ ପାଇଁ ବିଜେପିରେ ତାଙ୍କୁ କଡା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ଜିନ୍ନାଙ୍କୁ ପ୍ରଶଂସା କରିଥିବାରୁ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିବାକୁ ପଛାଇନଥିଲା । ତେବେ ଯଶୱନ୍ତ ସିଂଙ୍କ ଜୀବନକୁ ଦେଖିଲେ ଜଣେ ସୈନିକ ଜୀବନରୁ ରାଜନୀତିର ଯାତ୍ରା ଥିଲା ଘଟଣା ବହୁଳ । ଆଜି ତାଙ୍କର ବିୟୋଗ ସହିତ ଏକ ଯୁଗର ଅବସାନ ଘଟିଛି ।