କନକ ବ୍ୟୁରୋ: ଭାରତ ସରକାରଙ୍କ ଉପରେ ସଂଗୀନ ଅଭିଯୋଗ ଆଣିଛନ୍ତି ଟ୍ୱିଟରର ପୂର୍ବତନ ସିଇଓ ଜ୍ୟାକ ଡୋର୍ସି । ଏକ ସାକ୍ଷାତକାରରେ ଡୋର୍ସି କହିଛନ୍ତି ଭାରତରେ ଯେଉଁ ସମୟରେ ଚାଷୀ ଆନ୍ଦୋଳନ ଚାଲିଥିଲା ସେତେବେଳେ ତାଙ୍କ ଉପରେ ଚାପ ପଡିବା ସହ ଧମକ ଦିଆଯାଇଥିଲା । ସରକାରଙ୍କୁ ସମାଲୋଚନା କରୁଥିବା ଟ୍ୱିଟର ଆକାଉଁଟ ବନ୍ଦ କରିବାକୁ ମୋଦୀ ସରକାର କହିଥିଲେ । କଥା ନମାନିଲେ ଭାରତରେ ଟ୍ୱିଟର କାର୍ଯ୍ୟାଳୟ ବନ୍ଦ କରିବାକୁ, କର୍ମଚାରୀଙ୍କ ଜେଲ ପଠାଇବାକୁ, ଚଢାଉ କରିବାକ ଧମକ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତିି । ସେପଟେ ଟ୍ୱିଟରର ପୂର୍ବତନ ସିଇଓଙ୍କ ବୟାନକୁ ବିଜେପି ଖଣ୍ଡନ କରିଛି ଓ କଂଗ୍ରେସ କହିଛି ବିଜେପି ଗଣତନ୍ତ୍ରର ହତ୍ୟା କରୁଛି ।

Advertisment

ଟ୍ୱିଟରର ସହ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ଜ୍ୟାକ୍ ଡୋର୍ସୀ ଏବେ ଏମିତି କିଛି ବୟାନ ଦେଇଛନ୍ତି ଯାହାକୁ ନେଇ ଭାରତରେ ହଇଚଇ ସୃଷ୍ଟି ହୋଇଛି । ଚାଷୀ ଆନ୍ଦୋଳନ ସମୟରେ ମୋଦୀ ସରକାରଙ୍କ ଟ୍ୱିଟର ପ୍ରତି କି ପ୍ରକାର ଆଭିମୁଖ୍ୟ ରହିଥିଲା ? ତାଙ୍କ ଉପରେ କି ପ୍ରକାର ଚାପ ପଡିଥିଲା? କାହିଁକି ସରକାରଙ୍କ ପକ୍ଷରୁ ଧମକଚମକ ଦିଆଯାଇଥିଲା ? ସେ ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି ଟ୍ୱିଟରର ପୂର୍ବତନ ସିଇଓ । ୟୁଟ୍ୟୁବ ଚ୍ୟାନେଲ ‘ବ୍ରେକିଂ ପଏଂଟ’ରେ ଦେଇଥିବା ସାକ୍ଷାତକାରରେ କ’ଣ କହିଥିଲେ ଜ୍ୟାକ ଡୋର୍ସୀ ପଢନ୍ତୁ

ଜ୍ୟାକ୍ ଡୋର୍ସିଙ୍କ ଅଭିଯୋଗ
ଧମକ ଦେଉଥିଲେ ମୋଦୀ ସରକାର
-ଚାଷୀ ଆନ୍ଦୋଳନ ସମୟରେ ସରକାର ଚାପ୍ ପକାଇଥିଲେ
-ସରକାରଙ୍କ ସମାଲୋଚନା କରୁଥିବା ଟ୍ୱିଟର ଆକାଉଂଟକୁ ବନ୍ଦ କରିବାକୁ ମିଳିଥିଲା ନିର୍ଦ୍ଦେଶ
-କଥା ନମାନିଲେ ଭାରତରେ ଟ୍ୱିଟର କାର୍ଯ୍ୟାଳୟ ବନ୍ଦ କରିବାକୁ ଧମକ ମିଳିଥିଲା
-ଟ୍ୱିଟର କର୍ମଚାରୀଙ୍କ ଠିକଣାରେ ଚଢାଉ କରାଯାଇଥିଲା
-କର୍ମଚାରୀଙ୍କୁ ଜେଲ ପଠାଇବାକୁ ମିଳିଥିଲା ଧମକ 

ଗୋଟେପଟେ ଟ୍ୱିଟର ସିଇଓଙ୍କ ଚାଂଚଲ୍ୟକର ବୟାନ ଅନ୍ୟପଟେ ଏନେଇ ଭାରତରେ ତେଜିଛି ରାଜନୀତି । ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ କହିଛି ସାହସ କରି ମୋଦୀ ସରକାରଙ୍କ ଅସଲ ଚେହେରା ଉପରୁ ପର୍ଦ୍ଦା ଉଠାଇଛନ୍ତି ଜ୍ୟାକ ଡୋର୍ସୀ । ଗଣତନ୍ତ୍ରର ହତ୍ୟା କରୁଛନ୍ତି ମୋଦୀ ସରକାର । ସେପଟେ ଜବାବରେ ବିଜେପି ଜବାବ କହିଛି:
ଡୋର୍ସିଙ୍କ ଅଭିଯୋଗ, ବିଜେପିର ଖଣ୍ଡନ

-ଜ୍ୟାକ୍ ଡୋର୍ସିଙ୍କ ଅଭିଯୋଗକୁ ବିଜେପିର ଖଣ୍ଡନ
-ନିୟମ ଭାଙ୍ଗି ଡୋର୍ସି ମିଛ କହୁଛନ୍ତି
-ଭାରତୀୟ ନିୟମଙ୍କୁ ଡୋର୍ସି ଉଲ୍ଲଂଘନ କରିଛନ୍ତି
-ଡୋର୍ସି ଯେଉଁ ସମୟରେ ଟ୍ୱିଟର ପାଇଁ କାମ କରୁଥିଲେ ସେହି ସମୟରେ ଭାରତୀୟ ଆଇନ ଭାଙ୍ଗୁଥିଲେ
-୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ଭାରତୀୟ ନିୟମକୁ ମାନିନଥିଲା ଟ୍ୱିଟର
-ଟ୍ୱିଟରର କୌଣସି କର୍ମଚାରୀ ଜେଲ ଯାଇନାହାଁନ୍ତି ଓ କଟକଣା ଲାଗୁ କରାଯାଇନି

ଟ୍ୱିଟର ସ୍ୱାଧୀନଭାବେ କାମ କରେ ନା ତା ଉପରେ କୌଣସି ଦେଶର ସରକାରଙ୍କ ଚାପ ରହିଥାଏ ବୋଲି ୟୁଟ୍ୟୁବ ଚ୍ୟାନେଲ ପକ୍ଷରୁ ପ୍ରଶ୍ନ ପଚାଯାଇଥିଲା । ଏହି ପ୍ରଶ୍ନର ଉତର ଦେଇ ମୋଦୀ ସରକାରଙ୍କ ଉପରେ ସଂଗୀନ ଅଭିଯୋଗ ଆଣି ଚର୍ଚ୍ଚାରେ ଟ୍ୱିଟରର ପୂର୍ବତନ ସିଇଓ । ଡୋର୍ସୀଙ୍କ ଏହି ଭିଡିଓ ଭାଇରାଲ ହେଉଛି । ସେପଟେ ମୋଦୀ ସରକାରଙ୍କ ବିରୋଧରେ ବିରୋଧୀଙ୍କୁ ନୂଆ ଅସ୍ତ୍ର ମିଳିଛି । ବିରୋଧୀଦଳମାନେ ବହୁମାତ୍ରାରେ ଏହି ଭିଡିଓ ସେୟାର କରି ମୋଦୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ।