ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ । ୮୧ ବର୍ଷ ବୟସରେ ଭୁବନେଶ୍ୱରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ।

Advertisment
ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ । ୮୧ ବର୍ଷ ବୟସରେ ଭୁବନେଶ୍ୱରରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ।

କନକ ବ୍ୟୁରୋ : ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ବିଜେଡିର ବରିଷ୍ଠ ନେତା, ସୁସାହିତ୍ୟିକ ତଥା ବାଗ୍ମୀ ଶରତ କୁମାର କର ଆଉ ନାହାନ୍ତି। ୮୧ ବର୍ଷ ବୟସରେ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି। ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ। ଶରତ କୁମାର କରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ସମଗ୍ର ରାଜ୍ୟ ତଥା ତାଙ୍କର କର୍ମକ୍ଷେତ୍ର ମାହାଙ୍ଗା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ଜଣେ ସଫଳ ରାଜନେତା ଭାବେ ସ୍ୱର୍ଗତ କରଙ୍କର ଯଥେଷ୍ଟ ସୁନାମ ରହିଥିଲା। ସେ ଥରେ ସାଂସଦ ଓ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୧୯୭୧ ମସିହାରେ ବିଶ୍ୱନାଥ ଦାସଙ୍କ ନେତୃତ୍ୱାଧୀନ ମିଳିତ ସରକାରରେ ସ୍ୱର୍ଗତ କର ଥିଲେ ଶିକ୍ଷା ଓ ସଂସ୍କୃତି ବିଭାଗର ମନ୍ତ୍ରୀ। ଓଡ଼ିଶାର ରାଜନୈତିକ ଇତିହାସରେ ସ୍ୱର୍ଗତ କର ଥିଲେ ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ ଏବଂ ତାଙ୍କର ଏହି ରେକର୍ଡ ଆଜି ପର୍ୟ୍ୟନ୍ତ ଅକ୍ଷୁଣ୍ଣ ରହିଛି। ସ୍ୱର୍ଗତ କର ୧୯୭୭ ମସିହାରେ କଟକ ଲୋକସଭା ଆସନରୁ ଜନତା ପାର୍ଟି (ଲୋକଦଳ) ସାଂସଦ ଭାବରେ ନିର୍ବଚିତ ହୋଇଥିଲେ। ସେ ୧୦ ମାର୍ଚ୍ଚ ୨୦୦୦ ରୁ ୨୧ ମେ’ ୨୦୦୪ ପର୍ୟ୍ୟନ୍ତ ଦ୍ୱାଦଶ ବିଧାନସଭାର ବାଚସ୍ପତି ଥିଲେ।

୫ ସେପ୍ଟେମ୍ବର ୧୯୩୯ରେ ଜନ୍ମଗ୍ରହଣ କରିଥିବା ଶରତ କୁମାର କର ୧୯୬୪ ମସିହାରେ ପ୍ରତିଷ୍ଠିତ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସଫଳତାର ସହ ସ୍ନାତ୍ତକୋତ୍ତର ଡିଗ୍ରି ହାସଲ କରିବା ପରେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ। ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ଥିବା କାଳରେ ସେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସହ ଯୋଗାଯୋଗ କରିବାର ସୁଯୋଗ ପାଇଥିଲେ, ଯିଏ ତାଙ୍କୁ ରାଜନୀତିରେ ଯୋଗଦେବାକୁ ପ୍ରେରଣା ଦେଇଥିଲେ। ଶ୍ରୀ କର ମଧ୍ୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜଣେ ଘନିଷ୍ଠ ସହଯୋଗୀ ରହିଥିଲେ।

ସେ କେବଳ ଜଣେ ରାଜନେତା ନୁହନ୍ତି ଜଣେ ଉଚ୍ଚକୋଟୀର ସାହିତ୍ୟିକ ଭାବେ ମଧ୍ୟ ଶ୍ରୀ କରଙ୍କର ଯଥେଷ୍ଟ ସୁନାମ ରହିଥିଲା। ସେ ଚାରିଟି କବିତା ପୁସ୍ତକ, ଗୋଟିଏ ଆଧ୍ୟାତ୍ମିକ ପୁସ୍ତକ ରଚନା କରିଛନ୍ତି। ସେ ମହାପ୍ରଭୁ ଜଗନ୍ନାଥଙ୍କର ଜଣେ ଭକ୍ତ ରହିବା ସହ ସେ ଗତ ୪୫ ବର୍ଷ ଧରି ଆକାଶବାଣୀ, ଦୂରଦର୍ଶନ ଏବଂ ଘରୋଇ ଟିଭି ଚ୍ୟାନେଲରେ ଜଗନ୍ନାଥଙ୍କ ରଥ ଯାତ୍ରାର ଧାରା ବିବରଣୀ ପ୍ରଦାନ କରୁଥିଲେ। ସ୍ୱର୍ଗତ କରଙ୍କ ପତ୍ନୀ ଅନିମା ମିଶ୍ର କର, ଇଂରାଜୀ ସାହିତ୍ୟର ଜଣେ ଅବସରପ୍ରାପ୍ତ ପ୍ରଫେସର। ବଡ଼ପୁଅ ସୁମନ କର ମଧ୍ୟ ଇଂରାଜୀରେ ଅଧ୍ୟାପକ। ସାନପୁଅ ସୋଭନ୍‌ କର ଜଣେ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଏବଂ ସେ ନୂଆଦିଲ୍ଲୀରେ ଭାରତ ସରକାରଙ୍କ ଅଧୀନରେ ଏବେ କାର୍ୟ୍ୟରତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe