ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର: ବୁଲେଟିନ ଜାରି କରି ହସ୍ପିଟାଲ ପକ୍ଷରୁ ସୂଚନା

4,069

କନକ ବ୍ୟୁରୋ: ପୂର୍ବତନ ବାଚସ୍ପତି ତଥା ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଗୁରୁତର ଅସୁସ୍ଥ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ମହେଶ୍ୱର ମହାନ୍ତି ଗୁରୁତର । ସ୍ୱାସ୍ଥ୍ୟବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ଜାରି ହୋଇଛି ବୁଲେଟିନ । ମହେଶ୍ୱର ମହାନ୍ତି ଆଇସିୟୁରେ ଥିବା ବେଳେ ଏବେ ଗୁରୁତର ଅବସ୍ଥାରେ ଥିବା ଏଥିରେ କୁହାଯାଇଛି । ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି । ପ୍ରଥମେ ତାଙ୍କୁ ସ୍ନାୟୁ ରୋଗ ବିଭାଗରେ ଭର୍ତି କରାଯାଇଥିଲା । ପରେ ଆଇସିୟୁରେ ଭର୍ତି କରାଯାଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ସେ ପୁରୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସଂଧ୍ୟାରେ ସେ ବଡ଼ଶଙ୍ଖ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ମହେଶ୍ୱର ମହାନ୍ତି ପ୍ରତି ମାସେ କି ଦୁଇ ମାସରେ ଥରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ଯାଂଚ କରିଥାନ୍ତି । ମାସେ ତଳେ ବି ସେ ଅସୁସ୍ଥତା କାରଣରୁ ସେ ଡାକ୍ତରଖାନାରେ ଭର୍ତି ହେବା ସହ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ । ମହେଶ୍ୱର ମହାନ୍ତିଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଂଚୁଛନ୍ତି ଅନେକ ବିଜେଡି ନେତା । ଅମର ଶତପଥୀଳ ଉମା ସାମନ୍ତରାୟ, ରୁଦ୍ର ମହାରଥୀ ଭଳି ପ୍ରମୁଖ ନେତା ହସ୍ପିଟାଲରେ ଉପସ୍ଥିତ ।

ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ସୁନୀଲ ମହାନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କହିଛନ୍ତି । ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ଓ ଲୋକଙ୍କ ଭଲ ପାଇବା ରହିଛି ତେଣୁ ସେ ଶୀଘ୍ର ସୁସ୍ଥ ହୋଇଯିବେ । ତେବେ ଦୁଇ ଦିନ ପୂର୍ବରୁ ତାଙ୍କ ଦେହ ଖରାପ ହୋଇଥିବାରୁ ହସ୍ପିଟାଲରେ ଭର୍ତି କରାଯାଇଥିବା ସୁନୀଲ ମହାନ୍ତି କହିଛନ୍ତି ।