ରାଜନୀତିରୁ ରାସ୍ତାକଡ… ଦୁଇ ଦୁଇ ଥରର ସରପଞ୍ଚ , ଏବେ ପରିବା ବିକାଳୀ

196

କନକ ବ୍ୟୁରୋ: ସେଦିନ ସରପଞ୍ଚ, ଆଜି ପରିବା ବିକାଳୀ । ପଞ୍ଚାୟତ ଅଫିସରୁ ପରିବା ଦୋକାନ… ରାଜନୀତିରୁ ଆସି ରାସ୍ତାକଡରେ ପରିବା ବିକୁଛନ୍ତି ଦୁଇ ଦୁଇ ଥରର ସରପଞ୍ଚ । ଖୋଲିଛନ୍ତି ଭଳି କି ଭଳି ପରିବାରର ପସରା । ବାଇଗଣ, କଲରା, କଦଳୀ, କ୍ୟାପସିଗମ, ବିଲାତି ଏମିତି କେତେକଣ ପରିବା ଧରି ରାସ୍ତା କଡରେ ଗ୍ରାହକଙ୍କ ଅପେକ୍ଷାରେ ବସିଛନ୍ତି । ପେଟ ପୋଷିବାକୁ, ନିଜେ ବଞ୍ଚିବାକୁ ପରିବା ବ୍ୟବସାୟର ଏ ବାଟକୁ ବାଛି ନେଇଛନ୍ତି ପୂର୍ବତନ ସରପଞ୍ଚ । ଆଉ ହସିହସି ସମୟର ଏ କର୍ତ୍ତବ୍ୟକୁ ସୁଚାରରୂପେ ପାଳନ କରୁଛନ୍ତି । ନା ମନରେ ଅଛି ହରେଇବାର ଦୁଃଖ, ନା କିଛି ଅନୁଶୋଚନା । ଓଠରେ ହଜାରେ ଟଙ୍କାର ହସ ଧରି ପରିସ୍ଥିତିର ସାମ୍ନା କରୁଛନ୍ତି ଲୋକଙ୍କ ହୃଦୟ ଜିତି ଦୁଇ ଦୁଇ ଥର ସରପଞ୍ଚ ହୋଇଥିବା ଏ ମହିଳା ।

ସୁନ୍ଦରଗଡ ଜିଲ୍ଲା ନୂଆଗାଁ ଖୁଟୁଗାଁ ପଞ୍ଚୟତର ପୂର୍ବତନ ସରପଞ୍ଚ ଜିତିନ ତିର୍କୀ । ୨୦୦୧ରୁ ୨୦୦୬, ଏବଂ ୨୦୧୧ରୁ ୨୦୧୬… ଦୁଇ ଦୁଇ ଥର ନିର୍ବାଚିତ ହୋଇ ସରପଞ୍ଚ ଭାବେ ଦାୟିତ୍ୱ ସମ୍ପାଦନ କରିଛନ୍ତି । ତଥାପି ସେ ପରିବା ବିକି ନିଜ ଜୀବନ ଜୀବୀକା ନିର୍ବାହ କରୁଛନ୍ତି । ଜିତିନ ଯେତେବେଳେ ସରପଞ୍ଚ ଥିଲେ ସେତେବେଳେ ଲୋକଙ୍କ ସୁଖ ଦୁଃଖର ସାଥୀ ଥିଲେ ସେ । ଏମିତି ନୁହେଁ କି ଏବେ ପଦବୀରେ ନାହାନ୍ତି ବୋଲି ଲୋକଙ୍କ ସେବା କରୁନାହାନ୍ତି । ତାହାନୁହେଁ, ଜିତିନ ଏବେ ବି ଲୋକଙ୍କ ପାଖରେ ରାତି ଅଧରେ ବି ଛିଡା ହୋଇଛନ୍ତି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଜିତିନ ଦୁଇ ଦୁଇ ଥର ବିନା କୌଣସି ଦଳ କିମ୍ବା ବିନା ଅର୍ଥ ଖର୍ଚ୍ଚରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଯେତେବେଳେ ଗୋଟେ ନିର୍ବାଚନ ଜିତିବାକୁ ଯେକୌଣସି ଦଳ କିମ୍ବା ପ୍ରଚୁର ଅର୍ଥର ଆବଶ୍ୟକତା ପଢିଥାଏ ସେଠି ଜିନିତ କିନ୍ତୁ ଲୋକଙ୍କ ଭଲ ପାଇବାର ଭୋଟ ପାଇଁ ଜିତିଯାଇଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ସ୍ଥାନୀୟ ଅଞ୍ଚଳରେ ତାଙ୍କର ଲୋକ ପ୍ରିୟତାର ପତିଆରା ।

ଦୁଇ ଦୁଇ ଥରର ସରପଞ୍ଚ ଥିବା ଜିତିନ ସ୍ଥାନୀୟ ସମସ୍ୟା ସମାଧାନ କରିବା ସହ ତୃଣମୂଳ ସ୍ତରର ଅସୁବିଧାକୁ ଦୂର କରିବାକୁ ଜିଜାନ ଲଗାଇ ଦିଅନ୍ତି । ସବୁବେଳେ ଲୋକଙ୍କ ପାଇଁ, ଲୋକଙ୍କ କଥା ଚିନ୍ତା କରୁଥିବା ଜିତିନ ଲୋକସେବା ପାଇଁ ଏଯାଏଁ ବିବାହ କରି ନାହାନ୍ତି । ତାଙ୍କର ୫ ଭଉଣୀ, ଗୋଟେ ଭାଇରୁ ଅନ୍ୟ ସମସ୍ତ ବିବାହ କରି ବିଭିନ୍ନ ସ୍ଥାନରେ ରହୁଛନ୍ତି । କେବଳ ସାନ ଭଉଣୀ ଓ ଜିତିନ ଏବେ ଏକାଠି ରହୁଛନ୍ତି । ବଞ୍ଚିବା ପାଇଁ ଜଣେ ଚାଷବାସ ଦେଖୁଥିବା ବେଳେ ଜିତିନ ପରିବା ବିକି ପେଟ ପୋଷୁଛନ୍ତି ।

ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକେ ତାଙ୍କ ଛିଡା ହେବାକୁ କହୁଛନ୍ତି । ଆଉ ଲୋକପ୍ରିୟତା ଦୃଷ୍ଟିରୁ ଲୋକଙ୍କ ଭରସାର ଭୋଟ ପୁଣି ତାଙ୍କୁ ମିଳିବା ନେଇ ବି ଜିତିନ ଆଶାବାଦୀ ଅଛନ୍ତି । ସରପଞ୍ଚରୁ ପରିବା ବିକାଳି ବନିଥିବା ଜିତିନଙ୍କ ଏ ସାଧାରଣ ଜୀବନଶୈଳୀ ତାଙ୍କ ପ୍ରତି ସମ୍ମାନ ବଢାଇ ଦେଇଥିବା ବେଳେ ଏ ଦୃଶ୍ୟ ଅନେକ ଦୁର୍ନୀତି, ଲାଭଖୋର ଜନପ୍ରତିନିଧିଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛି…

ଥରେ ସରପଞ୍ଚ ହୋଇଗଲେ କି କଳେବଳେ କୌଶଳେ ଲୋକଙ୍କ ଭୋଟ ପାଇ ପଦବୀ ପାଇଗଲେ ଅନେକ ନେତା ପଇସାର ପାହାଡ ତିଆରି କରିଦେଉଥିବା ନଜିର ରହିଛି । ୫ ବର୍ଷ ପାଇଁ ଆସନ୍ତି ସିନା କିନ୍ତୁ ଆଗାମୀ ୫ ବର୍ଷ ପାଇଁ ଘରେ ଟଙ୍କା ଠୁଳ କରି ଦେଇଯାଆନ୍ତି । ୫ ବର୍ଷରେ ବିକାଶ କମ, ଭୋଟରେ ଖର୍ଚ୍ଚ କରିଥିବା ଟଙ୍କାକୁ ଉଠାଇବାକୁ ପ୍ରାଣମୂର୍ଚ୍ଚା ଉଦ୍ୟମ କରନ୍ତି । ରାଜା ବନିଜିବା ପରେ ପ୍ରଜାଙ୍କୁ ଭୁଲିଯାଉଥିବାର ଅଭିଯୋଗ ହୁଏ । ହେଲେ ଏ ନୀରିହ, ନିଷ୍କପଟ, ନିର୍ଭେଜାଲ ହସ ହସୁଥିବା ଜିତିନ କିନ୍ତୁ ଟଙ୍କାଟିଏ ବି ରଖି ନାହାନ୍ତି । ଲୋକଙ୍କଠୁ ଲୁଟିଛନ୍ତି କେବଳ, ସ୍ନେହ, ପ୍ରେମ ଓ ଭଲପାଇବା… ହେଲେ ଦୁର୍ଭାଗ୍ୟ ! ଏଭଳି ଜନପ୍ରତିନିଧିଙ୍କୁ ଗ୍ରହଣ କରନ୍ତିନି ଟଙ୍କାଲୋଭୀ ଭୋଟର ।