ଶହେ ଟଙ୍କା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତିଙ୍କୁ ହତ୍ୟା : ଘର ଭିତରକୁ ପଶିଆସି ଟଙ୍କା ଦାବି କରିଥିଲା ଦୁର୍ବୃତ; ପଇସା ନଦେବାରୁ ବଚସା ପରେ ପକାଇଲା ଟାଙ୍ଗିଆ ଚୋଟ

430

କନକ ବ୍ୟୁରୋ : ୧୦୦ଟଙ୍କା ପାଇଁ ଜଣେ ଜଣଙ୍କ ଜୀବନ ନେଇଯାଇପାରେ ଏଭଳି ଚାଂଚଲ୍ୟକର ଖବର ଆସିଛି ଝାରସୁଗୁଡ଼ାରୁ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଧୃବରାଜ ନାଏକଙ୍କୁ ହତ୍ୟା କରିଛି ଜଣେ ଦୁର୍ବୃତ । ମୃତକଙ୍କ ଭାଇଙ୍କ କହିବା ହେଲା ସାହିର ଜଣେ ବ୍ୟକ୍ତି ହଠାତ୍ ଘର ଭିତରକୁ ପଶିଆସି ଡକ୍ଟର ଧୃବରାଜ ନାଏକଙ୍କ ସ୍ତ୍ରୀ ଓ ଝିଅଙ୍କୁ ଶହେ ଟଙ୍କା ମାଗିଥିଲା ।

ସେମାନେ ପଇସା ନଥିବା କହିବା ସହ ଧୃବରାଜ ଆସିଲେ ଦେବେ ବୋଲି କହିଥିଲେ । ଏହାକୁ ନେଇ ବଚସା ହେବା ପରେ ଉତେକ୍ତ ହୋଇପଡ଼ିଥିଲା ଦୁର୍ବୃତ । ସାଙ୍ଗରେ ଆଣିଥିବା ଟଙ୍ଗିଆରେ ପ୍ରଫେସର ଡକ୍ଟର ଧୃବରାଜ ନାଏକଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ସମଲେଶ୍ୱରୀ ନର୍ସିଂ ହୋମ ନେଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଆକ୍ରମଣ କରିଥିବା ଦୁର୍ବୃତଙ୍କ ସମ୍ପୁର୍ଣ୍ଣ ପରିଚୟ ଓ ଆକ୍ରମଣ ପଛର ପ୍ରକୃତ କାରଣ ଜଣାପଡ଼ିନାହିଁ । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଲଇକେରା ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ।