ୟୁକ୍ରେନ ପରେ ଏବେ ଟାର୍ଗେଟରେ ଇସ୍ରାଏଲ, ଏହି କାରଣରୁ ଋଷ ତରଫରୁ ମିଳିଲା ଧମକ

218

କନକ ବ୍ୟୁରୋ : ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦବେଦେବ ଏବେ ଇସ୍ରାଏଲକୁ ଧମକ ଦେଇଛନ୍ତି । ଇସ୍ରାଏଲ ୟୁକ୍ରେନକୁ ଯୋଗାଉଥିବା ଯୁଦ୍ଧାସ୍ତ୍ରକୁ ନେଇ ସେ ଏଭଳି ଧମକ ଦେଇଛନ୍ତି । ଦିମିତ୍ରୀ କହିଛନ୍ତି କି ଯଦି ଇସ୍ରାଏଲ ପୁଣି ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଯୋଗାଏ ତେବେ ଋଷ ସହ ଥିବା କୂୁଟନୈତିକ ସଂପର୍କ ଛିନ୍ନ କରାଯିବ । ସୂଚନା ଥାଉକି ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦବେଦେବ ବର୍ତମାନ ଋଷ ସୁରକ୍ଷା ପରିଷଦର ଡେପୁଟି ଚେୟାରମ୍ୟାନ ସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମୁଖ୍ୟ ପରାମର୍ଶଦାତା ପଦରେ ରହିଛନ୍ତି ।

ଋଷର ପୂର୍ବତନ ରାଷ୍ଟ୍ରପତି ଦିମିତ୍ରୀ ମେଦବେଦେବ ଟେଲିଗ୍ରାମ ଆପରେ ଲେଖିଛନ୍ତି କି, ‘ଏମିତି ଶୁଣାଯାଉଛି କି, ଇସ୍ରାଏଲ ତରଫରୁ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯାଉଛି । ଏହା ଏକ ଦାୟିତ୍ୱହୀନ ପଦକ୍ଷେପ’ ଏହା ସତ୍ୟ ହୋଇଥିଲେ ଖୁବଶୀଘ୍ର ଋଷ ଓ ଇସ୍ରାଏଲ ମଧ୍ୟରେ ଥିବା ସମସ୍ତ ସଂପର୍କ ଶେଷ କରିଦିଆଯିବ ।

କିଛିଦିନ ପୂର୍ବରୁ ଇସ୍ରାଏଲର ଜଣେ ମନ୍ତ୍ରୀ ନାଚମନ୍ ସାଇ କହିଥିଲେ କି ଇସ୍ରାଏଲ ତରଫରୁ ୟୁକ୍ରେନକୁ ସୈନ୍ୟ ସହାୟତା ଯୋଗାଇ ଦିଆଯିବ । ନାଚମନଙ୍କର ଏହି ବୟାନ ଆଧାରରେ ଦିମିତ୍ରୀ ମେଦବେଦେବ ଏଭଳି କଥା କହିଛନ୍ତି । ପୂର୍ବ ସପ୍ତାହରେ ଏକ ଇଂରାଜୀ ଖବର କାଗଜ ନ୍ୟୁୟର୍କସ୍ ଟାଇମ ମୁତାବକ ଇସ୍ରାଏଲର ଏକ ଘରୋଇ ସୁରକ୍ଷା ଫାର୍ମ ୟୁକ୍ରେନକୁ ଯୁଦ୍ଧରେ ସହାୟତା କରୁଥିଲା ।

ଏସବୁ ଭିତରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି କି, ଇସ୍ରାଏଲ ତରଫରୁ ୟୁକ୍ରେନକୁ କୌଣସି ସହାୟତା ମିଳିନାହିଁ । ହେଲେ ଆମ ଭଳି ଇସ୍ରାଏଲ ବି ଏବେ ନିଜ ମାଟିକୁ ରକ୍ଷା କରିବାକୁ ପ୍ରସ୍ତୁତ ହେବାର ସମୟ ଆସିଯାଇଛି ।