ରିଜର୍ଭ ବ୍ୟାଙ୍କର ପୂର୍ବ ଗଭର୍ଣ୍ଣର ଓର୍ଜିତ ପଟେଲଙ୍କୁ ମିଳିଲା ନୂଆ ଦାୟିତ୍ୱ । ଏବେ ଏକ ବିସ୍କୁଟ୍ କମ୍ପାନୀ ସହ ଯୋଡିଲେ ନିଜର ଅନୁଭବ । ଘରୋଇ କ୍ଷେତ୍ରରେ ହେବେ କି ସଫଳ ?

186

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଓର୍ଜିତ ପଟେଲଙ୍କୁ ଏବେ ଏକ ନୂଆ ଦାୟିତ୍ୱ ମିଳିଛି । ଏଥର ସେ ଏକ ଘରୋଇ ଉଦ୍ୟୋଗ ସହ ଯୋଡି ହୋଇଛନ୍ତି । ବିସ୍କୁଟ ଓ ଦୁଗ୍ଧ ଜାତୀୟ ଖାଦ୍ୟ ପ୍ରସ୍ତୁତ କରୁଥିବା ବ୍ରିଟାନିଆ କମ୍ପାନୀ ଓର୍ଜିତ ପଟେଲଙ୍କୁ କମ୍ପାନୀର ଉପ-ନିର୍ଦ୍ଦେଶକ ପଦରେ ନିଯୁକ୍ତି ଦେଇଛନ୍ତି । ସେ ଏହି ପଦରେ ଅଗାମୀ ୫ ବର୍ଷ ପର୍ଯ୍ୟନ୍ତ ରହିବେ ବୋଲି କୁହାଯାଇଛି । ବ୍ରିଟାନିଆ କମ୍ପାନୀ ତରଫରୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜକୁ ଦେଇଥିବା ସୂଚନାରେ କୁହାଯାଇଛି କି କମ୍ପାନୀ ଓର୍ଜିତ ପଟେଲଙ୍କୁ ଉପ-ନିର୍ଦ୍ଦେଶକ ପଦରେ ନିଯୁକ୍ତି ଦିଆଯାଇଛି । ସେ ଏହି ପଦରେ ୨୦୨୬ ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ରହିବେ । କହିରଖୁ କି ସେବିର ନିର୍ଦ୍ଦେଶ ଅନୁସାରେ କୌଣସ ପଞ୍ଜିକୃତ କମ୍ପାନୀ ଏଭଳି ନିଯୁକ୍ତିର ସୂଚନା ବମ୍ବେ ଷ୍ଟକ ଏକ୍ସଚେଞ୍ଜ ନିକଟରେ ଦେବାକୁ ବାଧ୍ୟ ।

କହିରଖୁ କି ରଘୁରାମ ରାଜନଙ୍କ ପରେ ଏନଡିଏ ସରକାର ଓର୍ଜିତ ପଟେଲଙ୍କୁ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ଦେଇଥିଲେ । ଶ୍ରୀ ପଟେଲ ୨୦୧୬-୧୮ ମଧ୍ୟରେ ୨ ବର୍ଷ ପାଇଁ ଆରବିଆଇର ଗଭର୍ଣ୍ଣର ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇବା ପୂର୍ବରୁ ରିଜର୍ଭବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଓ ମନିଟରିଂ କମିଟିର ଇନଚାର୍ଜ ଭାବେ କାର୍ଯ୍ୟ କରିଛନ୍ତି । ସେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ଫାଇନାନ୍ସ ଏବଂ ପଲିସି ର ଗଭର୍ଣ୍ଣିଂ ବଡିର ଚେୟାରମ୍ୟାନ ବି ଥିଲେ । ସେ ଭାରତ ସରକାରଙ୍କ ସହ ଯୋଡି ହେବା ପୂର୍ବରୁ ୧୫ ବର୍ଷ ଧରି ଘରୋଇ କ୍ଷେତ୍ରରେ ରହି ସେବା ଯୋଗାଉଥିଲେ ।