କନକ ବ୍ୟୁରୋ : ଘରକୁ ଆସିଲେ ଗିରଫ ହେଲେ । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ଝିଅ ମରିୟମଙ୍କୁ ଇସ୍ଲାମାବାଦ ବିମାନବନ୍ଦରରୁ ଗିରଫ କରାଯାଇଛି । ଗତକାଲି ରାୱଲପିଣ୍ଡିର ଅଦିୟାଲା ଜେଲରେ ଉଭୟ ରାତି କାଟିଛନ୍ତିି । ଦୁର୍ନୀତି କରି ଲଣ୍ଡନର ଏଭିଏସନ ଫିଲ୍ଡରେ ଘର କିଣିଥିବା ମାମଲାରେ ସଜା ପାଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ଝିଅ ମରିୟମ । କଡା ସୁରକ୍ଷା ମଧ୍ୟରେ ଅଦିୟାଲା ଜେଲରେ ଅଛନ୍ତି ସରିଫ ଓ ମରିୟମ । ଉଭୟଙ୍କୁ ବି’ ଶ୍ରେଣୀ ଅନ୍ତର୍ଭୁକ୍ତ କରି ସେହି ୱାର୍ଡରେ ରଖାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ସୁବିଧା କରାଯାଇଛି ।
୧. ପ୍ରାୟତଃ କଏଦୀଙ୍କ ସାମାଜିକ ସ୍ଥିତି ଓ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ବି’ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଏ
୨. ଏମାନଙ୍କୁ କାରାଗାରରେ କିଛି କାମ କରିବାକୁ ପଡେନାହିଁ
୩. ଏମାନଙ୍କ ପାଇଁ ଖଟ, ଚୌକି, ଚା ସେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ଥାଏ
୪. ଜେଲ୍ ବିଭାଗର ଅନୁମତିରେ ନିଜ ଖର୍ଚ୍ଚରେ ଟିଭି, ଫ୍ରିଜ ଓ ଏସି ଭଳି ସାମଗ୍ରୀ ରଖିବା ପାଇଁ ଅନୁମତି ମିଳିଥାଏ
ମିଳିଥିବା ଖବର ଅନୁସାରେ ଏଭିଏସନ ଫିଲ୍ଡ ଦୁର୍ନୀତି ମାମଲାରେ କୋର୍ଟଙ୍କ ରାୟ ବିରୋଧରେ ସୋମବାର ଦିନ ସରିଫଙ୍କ ଓକିଲ କୋର୍ଟରେ ଆବେଦନ କରିବେ । ଏହାରି ମଧ୍ୟରେ ପ୍ରଶ୍ନ ଉଠୁଛି ଯେ, ସେ କାହିଁକି ଲଣ୍ଡନ ଛାଡି ପାକିସ୍ତାନ ଆସିଲେ ଗିରଫଦାରୀ ପାଇଁ । ଏହାକୁ ନେଇ ଚାଲିଛି ଅନେକ ଆଲୋଚନା । ନଜର ପକାଇବା ଏହାର କିଛି ଦିଗ ଉପରେ ।
୧. ଜୁଲାଇ ୨୫ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ଏହା ତାଙ୍କର ଏକ ଗେମ ପ୍ଳାନ
୨. ଏହି ଯୋଜନା ତାଙ୍କ ରାଜନୈତିକ ଭବିଷ୍ୟତକୁ ଗଢିବ କିମ୍ବା ବିଗାଡିବ
୩. ସରିଫଙ୍କ ଘର ବାହୁଡା ତାଙ୍କ ଦଳୀୟ କର୍ମୀଙ୍କୁ କର୍ମତତ୍ପର କରିଛି
୪. ଦଳୀୟ କର୍ମୀଙ୍କୁ କାବୁ କରିବାକୁ ଅଧିକାରୀଙ୍କୁ ନାକେଦମ ହେବାକୁ ପଡିଛି
୫. ପାକିସ୍ତାନରେ ସରିଫଙ୍କ ଅନୁପସ୍ଥିତିରେ ତାଙ୍କ ଦଳର କ୍ୟାମ୍ପେନ ଠିକ୍ ଭାବରେ ହୋଇପାରିନଥାନ୍ତା
୬. ବିରୋଧୀଙ୍କ ମୁକାବିଲା କରିବାର ଏହା ଏକମାତ୍ର ଉପାୟ
୭. ସେନାକୁ ସେ ବିରୋଧ କରୁଥିବା କଥାକୁ ଆହୁରୀ ଶକ୍ତି ଯୋଗାଇବ ତାଙ୍କ ପ୍ର୍ୟତାବର୍ତ୍ତନ
ଗତକାଲି ଲଣ୍ଡନରୁ ଆବୁଧାବି ଦେଇ ସରିଫ୍ ଓ ମରିୟମ ପାକିସ୍ତାନରେ ପହଂଚିଥିଲେ । ଏହାପରେ ବିମାନରୁ ହିଁ ତାଙ୍କୁ ଗିରଫ କରାଯାଇଥିଲା । ଏଥିପାଇଁ ଲାହୋରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା । ସରିଫଙ୍କ ସମର୍ଥକ ପୁଲିସ ମୁହାଁମୁହିଁ ହେବା ପରିସ୍ଥିତି ମଧ୍ୟ ଉପୁଜିଥିଲା । ଦୁର୍ନୀତି କରି ଲଣ୍ଡନର ଏଭିଏସନ ଫିଲ୍ଡରେ ଘର କିଣିଥିବା ମାମଲାରେ ସଜା ପାଇଛନ୍ତି ପାକର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ଝିଅ ମରିୟମ । ଭ୍ରଷ୍ଟାଚାର ମାମଲାରେ ସରିଫଙ୍କୁ ୧୦ବର୍ଷ ସହ ୭୩କୋଟି ଟଙ୍କା ଜରିମାନା, ଝିଅ ମରିୟମଙ୍କୁ ୭ବର୍ଷ ଜେଲ ଓ ୧୮କୋଟି ୨୪ଲକ୍ଷ ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି କୋର୍ଟ ।