କଂଗ୍ରେସକୁ ଝଟକା, ଟିଏମସିରେ ସାମିଲ ହେଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍

ଟିଏମସିରେ ସାମିଲ ହେଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ୍

106

କନକ ବ୍ୟୁରୋ : ଭାରତର ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ଦିବଙ୍ଗତ ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ବଡପୁଅ ଅଭିଜିତ୍ ମୁଖାର୍ଜୀ ଆଜି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ କୋଲକତାରେ ଟିଏମସିର ବଡ ବଡ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ସେ କଂଗ୍ରେସ ଛାଡିବା ପରେ ଦଳକୁ ବଡ ଝଟକା ଲାଗିଛି ।

କହିରଖୁ କି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବାମଦଳ ଓ କଂଗ୍ରେସର ମେଣ୍ଟକୁ ନେଇ ଅଭିଜିତଙ୍କ ମତ ଭିନ୍ନ ଥିଲା । ନିର୍ବାଚନରେ କଂଗ୍ରେସର ସୂଚନୀୟ ପରାଜୟକୁ ନେଇ ସେ କହିଥିଲେ କି ଯଦି କଂଗ୍ରେସ ବାମଦଳ ସହ ମେଣ୍ଟ ନକରି ଏକା ନିର୍ବାଚନ ଲଢିଥାନ୍ତା ତେବେ ନିଶ୍ଚିନ୍ତ ଭାବେ କଂଗ୍ରେସର ଭୋଟ ପ୍ରତିଶତ ବଢିଥାନ୍ତା ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର ଦାୟୀତ୍ୱ ଯେତେବେଳେ ଅଧିର ରଞ୍ଜନ ଚୌଧୁରୀଙ୍କୁ ଦିଆଗଲା ସେତେବେଳ ଠାରୁ ଅଭିଜିତ ଟିଏମସିରେ ମିଶିବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ହେଲେ ଆଜି ସେ ଟିଏମସିରେ ମିଶିବା ପରେ କଂଗ୍ରେସ ନେତାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।

ଅନ୍ୟପଟେ ଅଭିଜିତ ଟିଏମସିରେ ଯୋଗ ଦେଇଥିଲେ ବି ତାଙ୍କ ଭଉଣୀ ଶର୍ମିଷ୍ଠା ଏବେ ବି କଂଗ୍ରେସରେ ଅଛନ୍ତି । ସେ ଦିଲ୍ଲୀରେ ରାଜନୀତି କରୁଛନ୍ତି । ସେ ୨୦୧୫ ରେ ଗ୍ରେଟର ନୋଇଡା ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ।