କନକ ବ୍ୟୁରୋ : ୨୦୧୪ରେ କଂଗ୍ରେସର ପରାଜୟ ପାଇଁ ସୋନିଆ ଗାନ୍ଧୀ ଓ ମନମୋହନ ସିଂ ଦାୟୀ । ଏପରି ଚାଂଚଲ୍ୟକର ତଥ୍ୟ ଲେଖିଯାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ସେ ତାଙ୍କର ଅନୁଭୂତିର ପୁସ୍ତକ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ର ଅନ୍ତିମ ସଂସ୍କରଣରେ ଏହା ଲେଖିଛନ୍ତି ।

Advertisment

ଏକାଧିକ ରାଜ୍ୟରେ କଂଗ୍ରେସର ପରାଜୟ ପରେ ଦଳର ଶୀର୍ଷ ନେତ୍ୱତ୍ୱ ସମାଲୋଚନାର ସମ୍ମୁଖିନ ହେଉଛନ୍ତି ଠିକ୍ ସେହି ସମୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁସ୍ତକ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ ଦଳ ଭିତରର ଅନେକ ଗୁମର ଖୋଲିଛି । ଏହି ପୁସ୍ତକର ଶେଷ ସଂସ୍କରଣ ଆସନ୍ତା ଜାନୁୟାରୀରେ ପ୍ରକାଶ ପାଇବ । ଏହି ପୁସ୍ତକରେ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ଅତି ଶୋଚନୀୟ ପରାଜୟର ବିଶ୍ଲେଷଣ କରାଯାଇଛି ।

ପ୍ରଣବ ଲେଖିଛନ୍ତି, ୨୦୧୪ ସାଧାରଣ ନିର୍ବାଚନରେ ଦଳର ପରାଜୟ ପାଇଁ ସୋନିଆ ଗାନ୍ଧୀ ଓ ମନମୋହନ ସିଂ ଦାୟୀ । ଦଳର କେତେକ ସଦସ୍ୟ ସ୍ୱିକାର କରନ୍ତି ଯେ ମୁଁ ୨୦୦୪ରେ ପ୍ରଧାନମନ୍ତ୍ରୀ ବନିଥିଲେ ୨୦୧୪ର ପରାଜୟକୁ ଏଡାଇ ଦିଆଯାଇ ପାରିଥାନ୍ତା । ତେବେ ମୁଁ ଏହି ବିଚାରକୁ ସ୍ୱିକାର କରୁନାହିଁ । କିନ୍ତୁ ମୁଁ ବିଶ୍ୱାସ କରେ ଯେ, ରାଷ୍ଟ୍ରପତି ଭାବେ ମୋର ଉତଥାନ ହେବା ପରେ ଦଳୀୟ ନେତୃତ୍ୱ ରାଜନୈତିକ ଦୃଷ୍ଟି ଆକର୍ଷଣ ହରାଇଦେଲେ । ସୋନିଆ ଗାନ୍ଧୀ ଦଳର ବିଭିନ୍ନ ସମସ୍ୟାକୁ ସମ୍ଭାଳିବାରେ ଅସମର୍ଥ ଥିଲେ ଏବଂ ଡ.ମନମୋହନ ସିଂଙ୍କ ଦୀର୍ଘ ସମୟର ଅନୁପସ୍ଥିତି ଅନ୍ୟ ସାଂସଦମାନଙ୍କ ସହିତ ତାଙ୍କର କୌଣସି ବ୍ୟକ୍ତିଗତ ସମ୍ପର୍କକୁ ଶେଷ କରିଦେଲା ।

ପ୍ରଣବ ମୁଖାର୍ଜୀ ୨୦୧୨ରେ ରାଷ୍ଟ୍ରପତି ହେବା ପର୍ଯ୍ୟନ୍ତ କଂଗ୍ରେସ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲେ । ସେ ନିଜ ପୁସ୍ତକରେ ଦୁଇ ଜଣ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ତୁଳନା କରିଛନ୍ତି, ଯେଉଁମାନଙ୍କ ସହିତ ସେ କାମ କରିଛନ୍ତି । ଜଣେ ହେଉଛନ୍ତି ମନମୋହନ ସିଂ ଏବଂ ଅନ୍ୟଜଣେ ହେଉଛନ୍ତି ନରେନ୍ଦ୍ର ମୋଦୀ ।

‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ରେ ପ୍ରଣବ ଆହୁରୀ ମଧ୍ୟ ଲେଖିଛନ୍ତି ଯେ, ମୁଁ ବିଶ୍ୱାସ କରେ ଶାସନ କରିବାର ନୈତିକ ଅଧିକାର ପ୍ରଧାନମନ୍ତ୍ରୀଙ୍କ ସହ ନିହିତ ଥାଏ । ରାଷ୍ଟ୍ରର ସମଗ୍ର ସ୍ଥିତି ପ୍ରଧାନମନ୍ତ୍ରୀଙ୍କ ଏବଂ ତାଙ୍କ ପ୍ରଶାସନର କାର୍ଯ୍ୟକଳାପକୁ ପ୍ରତିଫଳିତ କରେ । କିନ୍ତୁ ମନମୋହନଙ୍କୁ ଦଳୀୟ ମେଂଟର ସୁରକ୍ଷା କରିବାକୁ ପରାମର୍ଶ ଦିଆଯାଇଥିଲା, ଯାହା ତାଙ୍କ ଶାସନ ପଦ୍ଧତି ଉପରେ ଭାରି ପଡିଥିଲା ।

ମାତ୍ର ମୋଦୀ ତାଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ସରକାର, ବ୍ୟବସ୍ଥାପିକା ଏବଂ ନ୍ୟାୟପାଳିକା ମଧ୍ୟରେ ତିକ୍ତ ସମ୍ପର୍କକୁ ଦେଖି ଏକ ନିରଙ୍କୁଶ ଶାସନ ଶୈଳୀ ଆପଣାଇଥିଲେ । ଏହି ସରକାରର ଦ୍ୱିତୀୟ କାର୍ଯ୍ୟକାଳରେ ଏପରି ପ୍ରସଙ୍ଗରେ ଭଲ ବୁଝାମଣା ରହିବ କି ନାହିଁ ତାହା କେବଳ ସମୟ କହିବ ।

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଲିଖିତ ପୁସ୍ତକ ‘ଦ ପ୍ରେସିଡେନ୍ସିଆଲ ଇୟର୍ସ’ ଆସନ୍ତା ଜାନୁୟାରୀରେ ପ୍ରକାଶ ପାଇବ । ଏହା ପୂର୍ବରୁ ପୁସ୍ତକର କିଛି ଅଂଶ ରିପୋର୍ଟ ଆକାରରେ ପ୍ରକାଶ ପାଇବା ପରେ ଏହାକୁ ନେଇ କଂଗ୍ରେସ ଭିତରେ ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି । ପ୍ରଣବ ଏବେ ଆଉ ନାହାନ୍ତି କିନ୍ତୁ ସେ ତାଙ୍କ ପୁସ୍ତକରେ କଂଗ୍ରେସର ଅନେକ ଗୁମର ସାମ୍ନାକୁ ଆଣିଛନ୍ତି ।