ବେଙ୍ଗାଲୁରୁରେ ବିରୋଧୀଙ୍କ ବୈଠକ । ସାମିଲ ହେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

107

କନକ ବ୍ୟୁରୋ: ବିଜେପି ବିରୋଧୀ ବୈଠକରେ ସାମିଲ ହେବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଆସନ୍ତା ୧୭ ଓ ୧୮ ତାରିଖରେ ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ହେବ । ଏଥିରେ ପ୍ରାୟ ୨୪ଟି ଦଳ ସାମିଲ ହେବାର ସମ୍ଭାବନା ରହିଛି । ବଡ଼ କଥା ହେଉଛି ସୋନିଆ ଗାନ୍ଧୀଙ୍କୁ ଏହି ବୈଠକରେ ଦେଖିବାକୁ ମିଳିବ । ବିରୋଧଙ୍କ ମେଳିରେ ସୋନିଆ ସାମିଲ ହେବା ସୂଚନା ଦେଇଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ।

ବିଜେପି ସହ ମେଣ୍ଟ ଭାଙ୍ଗିବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହାମେଣ୍ଟରେ ସାମିଲ ହୋଇଥିଲେ । ଏହି କ୍ରମରେ ସେ ମୋଦୀ ବିରୋଧୀଙ୍କୁ ଏକାଠି କରିବା ପାଇଁ ବିଭିନ୍ନ ରାଜ୍ୟ ଗସ୍ତ କରି ବିଭିନ୍ନ ଦଳର ନେତାଙ୍କୁ ଭେଟିଥିଲେ । ଏହାପରେ ଜୁନ୍ ୨୩ରେ ବିହାର ରାଜଧାନୀ ପାଟନାରେ ବିରୋଧୀ ଦଳଙ୍କ ବୈଠକ ହୋଇଥିଲା । ମହାବୈଠକରେ ୧୫ ଦଳର ପ୍ରାୟ ୨୭ ନେତା ସାମିଲ ହୋଇଥିଲେ । ହେଲେ ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ବିଜେପି ବିରୋଧୀ ମେଳି ଆହୁରି ବଡ଼ ହେବ ବୋଲି କୁହାଯାଉଛି । ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକରେ ଏମଡିଏମକେ, କେଡିଏମକେ, ଭିସିକେ, ଆରଏସପି, ମୁସଲିଗ୍ ଲିଗ୍, କେରଳ କଂଗ୍ରେସ (ଜୋସେଫ), କେରଳ କଂଗ୍ରେସ (ମଣି), ମଧ୍ୟ ସାମିଲ ହେବେ । ଅର୍ଥାତ୍ ଏହି ବୈଠକରେ ମୋଟ ୧୪ ଦଳ ସାମିଲ ହେବାର ସମ୍ଭାବନା ରହିଛି ।

ବେଙ୍ଗାଲୁରୁରେ ହେବାକୁ ଥିବା ବୈଠକ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସବୁ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି । ଜୁଲାଇ ୧୭ ତାରିଖରେ ସବୁ ଦଳର ନେତାଙ୍କ ପାଇଁ ରାତ୍ରିଭୋଜନର ବ୍ୟବସ୍ଥା କରାଯାଇଛି । ଜୁଲାଇ ୧୮ ତାରିଖ ସକାଳ ୧୧ଟାରେ ବୈଠକ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।