“ମିସାଇଲ୍ ମ୍ୟାନ୍” ନାମରେ ପରିଚିତ ଭାରତର ପୂର୍ବ ରାଷ୍ଟ୍ରପତି ଡ. ଏ.ପି.ଜେ ଅବଦୁଲ୍ କଲାମ୍ ଙ୍କର ଆଜି ହେଉଛି ପୁଣ୍ୟତିଥି । ଆଜକୁ ଠିକ୍ ୪ ବର୍ଷ ତଳେ ଦୁନିଆକୁ ବିଦାୟ କହି ସେ ଇହଧାମ ତ୍ୟାଗ କରିଥିଲେ ଏବଂ ପଛରେ ଛାଡିଯାଇଥିଲେ ତାଙ୍କର କୋଟି କୋଟି ଅନୁଗାମୀଙ୍କୁ । ଯାହାଙ୍କ ବିୟୋଗରେ ସ୍ଥିର ହୋଇଯାଇଥିଲେ ଭାରତର କୋଟି କୋଟି ଜନସାଧାରଣ । ତାଙ୍କର ଗୋଟିଏ ଗୋଟିଏ ପଂକ୍ତି ଜୀବନର ପଙ୍କିଳ ରାସ୍ତାରେ କମଳ ସଦୃଶ ପ୍ରଷ୍ଫୁଟିତ ହେଉଥିଲା । ସେ କହୁଥିଲେ , “ସ୍ୱପ୍ନ ତାହା ନୁହେଁ ଯାହା ଶୋଇଲାବେଳେ ନିଦରେ ଦେଖାଯାଏ , ସ୍ୱପ୍ନ ତାହା ଯାହା ଶୋଇବାକୁ ହିଁ ଦିଏନାହିଁ ।” ନିଜର ଉଚ୍ଚକୋଟିର ଭାବନା , କଠୋର ପରିଶ୍ରମ ଏବଂ ସଚ୍ଚୋଟ କାର୍ଯ୍ୟଦକ୍ଷତାକୁ ନେଇ ଦୁନିଆରେ ପରିଚିତ ହୋଇଥିବା ଏହି ମହାନାୟକ ଯେତେବେଳେ ଦେଶର ୧୧ ତମ ରାଷ୍ଟ୍ରପତି ଆସନରେ ଅଭିଷିିକ୍ତ ହେଲେ ସେତେବେଳେ ଘରେ ଘରେ ଦୀପାବଳି ଭଳି ବାତାବରଣ ସୃଷ୍ଟି ହୋଇଥିଲା । ଅକ୍ଟୋବର ୧୫ ତାରିଖ ୧୯୩୧ ରେ ତାମିଲନାଡୁର ରାମେଶ୍ୱରମ୍ ଠାରେ ଏକ ସାଧାରଣ ପରିବାରରେ ତାଙ୍କ ଜନ୍ମ । ଗରିବ ପରିବାରରୁ ଆସିଥିବାରୁ ଦାରିଦ୍ର୍ୟତାକୁ ସେ ଖୁବ୍ ନିକଟରୁ ଦେଖିଥିଲେ ତେଣୁ କଅଁଳ ବୟସରୁ ହିଁ ସେ ପରିପକ୍ୱତାର ପାହାଚ ଚଢିସାରିଥିଲେ ।
ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମ୍ ନିଜର ପ୍ରେରଣାଦାୟୀ କଥାକୁ ନେଇ ଆଜି ବି ଲୋକଙ୍କ ହୃଦୟ ଏବଂ ମସ୍ତିଷ୍କରେ ଜୀବିତ ରହିଛନ୍ତି । ଯଦି କୁହାଯାଏ ଯେ ଭାରତର ସେହି ପିଢିଙ୍କ ପାଇଁ ଏକ ବଡ ଉପଲବ୍ଧିର ସମୟ ଥିଲା ଯେତେବେଳେ ଏପିଜେ ଅବଦୁଲ୍ କଲାମଙ୍କ ସ୍ୱପ୍ନ ଏବଂ ଉକ୍ରୃଷ୍ଟ ପ୍ରଦର୍ଶନର କଥା ସେମାନଙ୍କ କାନରେ ପଡିଥିଲା କହିଲେ କିଛି ଭୁଲ୍ ହେବ ନାହିଁ । ବେଳେବେଳେ କଲାମଙ୍କ ସଂପତ୍ତିକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚା କରାଯାଏ ।
ସାଧାରଣ ଜୀବନରେ ସିଧାସାଧା ରହୁଥିବା କଲାମଙ୍କ ସଂପତ୍ତି କିଛି ନଥିଲା କହିଲେ ଚଳେ । ତାଙ୍କ ସଂପତ୍ତିରେ ଏଭଳି କୌଣସି ଜିନିଷ ନଥିଲା ଯେ ଯାହାକୁ ନେଇ ବାଦବିବାଦ ଦେଖାଯାଇଥାନ୍ତା । ଯଦି ସଂପତ୍ତି କଥା କହିବେ ତେବେ ତାଙ୍କ ପାଖରେ ଫ୍ରିଜ୍,ଟିଭି,ଏସି,କାର୍ ଭଳି କୌଣସି ଦ୍ରବ୍ୟ ନଥିଲା । ତାଙ୍କ ପାଖରେ ସଂପତ୍ତି କହିଲେ ୨୫୦୦ ପୁସ୍ତକ,ଗୋଟିଏ ହାତଘଡି,୬ ଟି ସାର୍ଟ ଏବଂ ୪ ଟି ପ୍ୟାଣ୍ଟ୍ ,୩ ଟି ସୁଟ୍ ଏବଂ ହଳେ ଜୋତା ଥିଲା । ସେ କେବେ ଭୋଗବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିନଥିଲେ । ସେ ନିଜ ପୁସ୍ତକରୁ ପାଉଥିବା ଟଙ୍କା ଏବଂ ପେନସନ୍ ରୁ ପାଉଥିବା ଟଙ୍କାରେ ଜୀବନଯାପନ କରୁଥିଲେ । ସେ ୪ ଟି ପୁସ୍ତକ କିଣିଥିଲେ । କଲାମଙ୍କ ଗଣମାଧ୍ୟମ ଆଡଭାଇଜରଙ୍କ କହିବାନୁସାରେ ତାଙ୍କ କ୍ୱାଟରରେ ଟିଭି ନଥିଲା ତେଣୁ ସେ ଖବରକାଗଜ ଏବଂ ରେଡିଓ ମାଧ୍ୟମରେ ସମାଚାର ଶୁଣୁଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/KALAM.jpg)
/kanak/media/post_attachments/wp-content/uploads/2019/07/150727135718-01-apj-abdul-kalam-super-tease-1-300x169.jpg)
/kanak/media/post_attachments/wp-content/uploads/2019/07/addressed-president-millennium-children-students-lucknow-october2010_1102bb5a-b001-11e7-839f-5e4b0d653fbd-300x169.jpg)