ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ମନମୋହନ ସିଂହ । ସ୍ୱାସ୍ଥ୍ୟାବସ୍ଥାରେ ହେଉଛି ଉନ୍ନତି – ଏମ୍ସ ଅଧିକାରୀ

123

କନକ ବ୍ୟୁରୋ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବେ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ତାଜା ସୂଚନା ମୁତାବକ ହସ୍ପିଟାଲରେ ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି ବୋଲି ସୂଚନା ଦେଇଛନ୍ତି ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନର ଅଧିକାରୀ । ତେବେ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା କାରଣରୁ ବୁଧବାର ଏମ୍ସରେ ଭର୍ତ୍ତି ହୋଇଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ।

ଏମ୍ସ ଅଧିକାରୀଙ୍କ କହିବା ମୁତାବକ, ମନମୋହନଙ୍କୁ ଡେଙ୍ଗୁ ହୋଇଛି । ହେଲେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଏବେ ଉନ୍ନତି ଆସୁଛି । ମନମୋହନ ସିଂହଙ୍କୁ ହସ୍ପିଟାଲର କାର୍ଡିୟୋ ନ୍ୟୁରୋ ସେଣ୍ଟରର ଏକ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି । ଯେଉଁଠି ଡାକ୍ତର ନୀତିଶ ନାୟକଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଗୁରୁବାର ଏମ୍ସ ଗସ୍ତ କରି ସେଠାରେ ମନମୋହନଙ୍କୁ ଭେଟିଛନ୍ତି । ସେଠାରେ ସେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ପଚାରି ବୁଝିଥିଲେ । ସୂଚନାଯୋଗ୍ୟ ଯେ, ମନମୋହନ ଏବେ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ କଡା ନଜର ରଖାଯାଇଥିବା ଏମ୍ସ ତରଫରୁ କୁହାଯାଇଛି ।