ଲାହୋର ବିମାନବନ୍ଦରରୁ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ଝିଅ ମରିୟମ ଗିରଫ । ଦୁର୍ନୀତି ଅଭିଯୋଗରେ ବାପ-ଝିଅକୁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ

31

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ତାଙ୍କ ଝିଅ ମରିୟମ ନୱାଜଙ୍କୁ ଆଜି ପୋଲିସ ଗିରଫ କରିଛି । ଆବୁଧାବିରୁ ଆସି ଲାହୋର ବିମାନବନ୍ଦରରେ ପହଁଚିବା ପରେ ସେଠାରେ ତାଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଛି । ଗିରଫ ହେବାପରେ ସେମାନଙ୍କୁ ରାଓଲପିଣ୍ଡି ପଠାଇ ଦିଆଯାଇଛି । ସରିଫ ଗିରଫଦାରୀ ଯୋଗୁଁ କୌଣସି ଅଘଟଣା ବା ପ୍ରତିବାଦକୁ ମୁକାବିଲା କରିବାପାଇଁ ପାଖାପାଖି ୧୦ହଜାରରୁ ଅଧିକ ପୋଲିସ କର୍ମଚାରୀ ସହରରେ ମୁତୟନ ଅଛନ୍ତି । ଜୁଲାଇ ୨୫ ତାରିଖରେ ପାକିସ୍ତାନରେ ହେବାକୁ ଥିବା ନିର୍ବାଚନ ପାଇଁ ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ସରିଫ ତାଙ୍କ ଦଳ ପାଇଁ ପ୍ରଚାର କରିବାକୁ ଆସିଥିଲେ ।

ପାନାମା ପେପର୍ସ ଲିକ ମାମଲାରେ ୬୮ବର୍ଷୀୟ ସରିଫଙ୍କୁ ପାକିସ୍ତାନୀ ଆକାଉଂଟିବିଲିଟି କୋର୍ଟ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇ୍ଥିଲେ । ପାନାମା ଦୁର୍ନୀତି ଅଭିଯୋଗ ସହ ଲଣ୍ଡନରେ ୪ଟି ଫ୍ଲାଟ କିଣାରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଝିଅ ମରିୟମଙ୍କୁ ମଧ୍ୟ ୭ବର୍ଷ ଜେଲ ଦଣ୍ଡାଦେଶ ହୋଇଛି ।ଲାହୋର ବିମାନବନ୍ଦରକୁ ଆସିବା ପୂର୍ବରୁ ପିଏମଏଲଏନର ସମର୍ଥକ ମାନେ ନୱାଜଙ୍କ ପାଇଁ ସ୍ଲୋଗାନ ଦେବା ଆରମ୍ଭ କରିଦେଇଥିଲେ । ତେଣୁ ତାଙ୍କର ସୁରକ୍ଷା ପାଇଁ ଏୟାରପୋର୍ଟରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏବେ ନୱାଜ ଏବଂ ତାଙ୍କ ଝିଅ ମରିୟମଙ୍କୁ ଗିରଫ କରାଯାଇ ସାବଲପିଂଡି ଅଦିୟାଲା ଜେଲକୁ ନିଆଯାଇଛି । ନୱାଜଙ୍କୁ ଗିରଫ କରିବା ସମୟରେ ଲାହୋର ପୋଲିସ ପ୍ରଶାସନ ସେହି ଅଞ୍ଚଳର ସମସ୍ତ ଫୋନ ଏବଂ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ ।

କୋର୍ଟର ଶୁଣାଣି ପରେ ପିଏମ ନୱାଜ କହିଛନ୍ତି, ଯାହା ମୋ ପକ୍ଷେ ସମ୍ଭବ ଥିଲା ତାହା ମୁଁ କରିସାରିଛି । ମତେ ଜଣା ଅଛି ଏହା ପରେ ମତେ ଜେଲରେ ଭର୍ତି କରିଦିଆଯିବ । କିନ୍ତୁ ମୁଁ ଗୋଟିଏ କଥା ପାକିସ୍ତାନି ଜନସାଧାରଣ ମାନଙ୍କୁ କହିବାକୁ ଚାହୁଁଛି କି, ମୁଁ ଯାହା କିଛି ବି କରୁଥିଲି ମୋ ଜାତି ଭାଇ ମାନଙ୍କ ପାଇଁ କରୁଥିଲି । ତେଣୁ ସମସ୍ତେ ମୋ ହାତରେ ହାତ ମିଶାଇ ଚାଲନ୍ତୁ । ଦେଶର ଭାଗ୍ୟକୁ ବଦଳାଇବା ପାଇଁ ବାରମ୍ବାର ସୁଯୋଗ ମିଳିବ ନାହିଁ ।