ଘାସ ଖାଇଦେବି, କିନ୍ତୁ ସେନାର ବଜେଟ ବଢାଇବି । ପାକିସ୍ତାନ ସେନାକୁ ନେଇ ରାୱଲପିଣ୍ଡି ଏକ୍ସପ୍ରେସ ଦେଲେ ବଡ ବୟାନ ।

647

ଘାସ ଖାଇଦେବି, କିନ୍ତୁ ସେନାର ବଜେଟ ବଢାଇବି । ପାକିସ୍ତାନରୁ ଆସିଛି ଏଭଳି ଏକ ବୟାନ । ତାହା ବି ପୁଣି ରାୱଲପିଣ୍ଡି ଏକ୍ସପ୍ରେସଙ୍କ ମୁହଁରୁ । ପାକିସ୍ତାନ ସେନା ଉପରେ ଏଭଳି ଏକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର । ପାକିସ୍ତାନର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅଖତର କହିଛନ୍ତି, ମୁଁ ଘାସ ଖାଇବାକୁ ପ୍ରସ୍ତୁତ କିନ୍ତୁ ସେନାର ବଜେଟ ବଢିବା ଆବଶ୍ୟକ ।

୪୪ ବର୍ଷୀୟ ଅଖତର ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଏଆରୱାଇକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଯଦି ଆଲ୍ଲା କେବେ ଅଧିକାର ଦିଅନ୍ତି ତେବେ ମୁଁ ଘାସ ଖାଇଦେବି, ଆଉ ଏହା ବଦଳରେ ସେନାର ବଜେଟ ବଢାଇବି । ଏହାସହ ଅଖତର କହିଛନ୍ତି ଯଦି ମୋତେ ଅଧିକାର ମିଳେ, ତେବେ ସେନାମୁଖ୍ୟଙ୍କ ସହ ବସି ଆଲୋଚନା କରିବି । ଆଉ ଯଦି ସେନାର ବଜେଟ ୨୦ ପ୍ରତିଶତ ଥିବ ତେବେ ତାହାକୁ ୬୦ ପ୍ରତିଶତ କରିଦେବି । ଏହାଛଡା ସେନା କାହିଁକି ସାଧାରଣ ଲୋକଙ୍କ ସହ ମିଳିମିଶି କାମ କରିପାରିବ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ସୋଏବ । ଯଦି ଆମେ ପରସ୍ପରକୁ ଅପମାନିତ କରୁଥିବା ତେବେ କ୍ଷତି ଆମର ହିଁ ହେବ ।

ଏହାପୂର୍ବରୁ ଦେଶ ପାଇଁ ଗୁଳି ଖାଇବାକୁ ପ୍ରସ୍ତୁତ ଅଛି ବୋଲି କହି ଚର୍ଚ୍ଚାକୁ ଆସିଥିଲେ ସୋଏବ । ଏପରିକି କାର୍ଗିଲ ଯୁଦ୍ଧ ଲଢିବା ପାଇଁ କାଉଣ୍ଟିଂ କ୍ରିକେଟ ଖେଳିନଥିଲି ଓ ଲକ୍ଷାଧିକ ଟଙ୍କା ଛାଡି ଦେଇଥିଲି ବୋଲି ପୂର୍ବରୁ କହିଛନ୍ତି ସୋଏବ । ପାକିସ୍ତାନର ଏହି ପୂର୍ବତନ କ୍ରିକେଟର ଅନେକ ଥର ଭାରତୀୟ କ୍ରିକେଟ ବୋର୍ଡ ତଥା ଖେଳାଳିଙ୍କୁ ଟାର୍ଗେଟ କରିଛନ୍ତି । ଏପରିକି ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ବାତିଲ ପଛରେ ବିସିସିଆଇର ହାତ ଥିବା ପରୋକ୍ଷରେ କହିଥିଲେ ସୋଏବ । ପଡିଆରେ ମଧ୍ୟ ଭାରତୀୟ କ୍ରିକେଟରଙ୍କ ସହ ଅନେକଥର ମୁହାଁମୁହିଁ ହୋଇଛନ୍ତି ସୋଏବ ।

ଗୋଟିଏ ପଟେ ବିଭିନ୍ନ ସମୟରେ ଭାରତୀୟ ଖେଳାଳିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଊଥିବା ସୋଏବ କରୋନା ମହାମାରୀର ମୁକାବିଲା ପାଇଁ ଫଣ୍ଡ ଯୋଗାଡ କରିବାକୁ ଭାରତ-ପାକିସ୍ତାନ ମଧ୍ୟରେ କ୍ରିକେଟ ସିରିଜ କରିବାକୁ ପ୍ରସ୍ତାବ ଦେଇଥିଲେ । ଆଉ ଏହାକୁ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦ ମଧ୍ୟ ସମର୍ଥନ କରିଥିଲେ । ତେବେ ଅଖତରଙ୍କ ଏହି ପ୍ରସ୍ତାବକୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ସମେତ ଅନ୍ୟ କିଛି ଖେଳାଳି ଖାରିଜ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ସହ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳୁନାହିଁ ଭାରତ । ଏପରିକି ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲରେ ମଧ୍ୟ ପାକିସ୍ତାନ ଖେଳାଳିଙ୍କୁ ସାମିଲ କରାଯାଉନାହିଁ ।