କନକ ବ୍ୟୁରୋ: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପୁଣ୍ୟତିଥିରେ ଚାଲିଗଲେ ତାଙ୍କର ଘନିଷ୍ଠ ସହଯୋଗୀ ତଥା ଚମ୍ପୁଆର ପୂର୍ବତନ ବିଧାୟକ ସହରାଇ ଓରାମ । ବିଜୁ ବାବୁଙ୍କ ସରକାରରେ ୩ଥର ମନ୍ତ୍ରୀ ରହିଥିଲେ ସହରାଇ ଓରାମ । ଗତକାଲି ତାଙ୍କର ଭଦ୍ରା ସାହିସ୍ଥିତ ବାସଭବନରେ ମୃତ୍ୟୁ ହୋଇଛି । ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଜଣେ ଟାଣୁଆ ଆଦିବାସୀ ନେତା ଥିଲେ ସହରାଇ ଓରାମ । ସେ ୫ଥର ଚମ୍ପୁଆ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗତ ୧୦ ବର୍ଷ ଧରି ସେ ପକ୍ଷାଘାତ ରୋଗରେ ପିଡିତ ଥିଲେ ।

Advertisment

୧୯୪୨ ଜାନୁଆରି ୮ ତାରିଖରେ କେନ୍ଦୁଝର ଜିଲ୍ଲା, ବଡ଼ବିଲ ତହସିଲ, ଅସେଇଁକଳା ପଞ୍ଚାୟତର ନୟାକୃଷ୍ଣପୁର (ତିତିରିବିଲ) ଗ୍ରାମରେ ତାଙ୍କର ଜନ୍ମ ହୋଇଥିଲା। ନିଜ ଗାଁରେ ପ୍ରାଥମିକ ଶିକ୍ଷାଲାଭ କରିବାପରେ ତତ୍‌କାଳୀନ ବିହାର ତଥା ଅଧୁନା ଝାଡ଼ଖଣ୍ଡର ଚାଇଁବାସାସ୍ଥିତ ଟାଟାନଗର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରି ହାସଲ କରିଥିଲେ। ସେ କିଛି କାଳ ଶିକ୍ଷକତା କରିବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ୧୯୬୭ରେ ସେ ଚମ୍ପୁଆ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିତ୍ବନ୍ଦ୍ବିତା କରି ପରାସ୍ତ ହୋଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେ ସେହି ଚମ୍ପୁଆ ଆସନରୁ ୫ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଜୁ ପଟ୍ଟନାୟକଙ୍କ ନେତୃତ୍ବରେ ୧୯୭୧ରେ ପ୍ରଥମଥର ପାଇଁ ସେ ଉତ୍କଳ କଂଗ୍ରେସରୁ ବିଧାୟକ ନିର୍ବାଚିତ ହୋଇଥିଲେ।

୧୯୭୨ରେ ସେ ଖଣି ଓ ଭୂତତ୍ତ୍ବ ତଥା ଗ୍ରାମ୍ୟ ଓ ନଗର ଉନ୍ନୟନ ବିଭାଗର ଉପମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ୧୯୭୭ରେ ଜନତା ଦଳରୁ ପୁଣିଥରେ ବିଧାୟକ ନିର୍ବାଚିତ ହୋଇ ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ, ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ। ପୁଣିଥରେ ୧୯୯୦ରେ ଜନତା ଦଳରୁ ବିଧାୟକ ନିର୍ବାଚିତ ହୋଇ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ୧୯୯୦ରୁ ୯୩ ଗ୍ରାମ୍ୟ ଉନ୍ନୟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଓ ୯୩ରୁ ୯୫ଯାଏ ଗ୍ରାମ୍ୟ ଉନ୍ନୟନ, ଉଠା ଓ କ୍ଷୁଦ୍ର ଜଳସେଚନ ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଶେଷଥର ପାଇଁ ସ୍ବାଧୀନ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ। ଛାତ୍ରଜୀବନରେ ସେ ‌ଷଢ଼େଇକଳା-ଖରସୁଆଁ ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ। ଖଣି ଅଞ୍ଚଳରେ ଜଣେ ଶ୍ରମିକ ନେତା ଭାବେ ମଧ୍ୟ ସେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ୧୯୮୦ରୁ ୯୦ ପର୍ଯ୍ୟନ୍ତ ଜନତା ଦଳ କେନ୍ଦୁଝର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରିଥିଲେ। କିଛିକାଳ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିଲେ।