ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ : ଚିକିତ୍ସାଧୀନ ଅବସ୍ଥାରେ ୭୮ ବର୍ଷ ବୟସରେ ମୃତ୍ୟୁ; ଖାଲିପଡିଥିବା ଜମିରେ ଜୈବିକ ଚାଷ କରି ଆଣିଥିଲେ ପରିବର୍ତ୍ତନ

115

କନକ ବ୍ୟୁରୋ : ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ । ୭୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ରାଜଧାନୀ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଆଜି ନିମୋନିଆ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ୍ୟୁ ପରେ ହସ୍ପିଟାଲ୍‌ରୁ ତାଙ୍କ କଳିଙ୍ଗ ବିହାରସ୍ଥିତ ବାସଭବନକୁ ତାଙ୍କୁ ଅଣାଯାଇଥିଲା। ସେଠାରେ ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ କରିଥଲେ। ପରେ ରାଜଧାନୀସ୍ଥିତ ସତ୍ୟନଗର ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।

ବଡ଼ ଝିଅ ସାବରମତୀ ମୁଖାଗ୍ନି ଦେଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ତାଙ୍କର ଶେଷକୃତ୍ୟ ସମୟରେ ପତ୍ନୀ ବିଜୟାଲକ୍ଷ୍ମୀ, ଭଉଣୀ ଓ ନାତି ତାଙ୍କ ଉଦ୍ଦେଶ୍ୟରେ ଗାନ୍ଧୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ଗାନ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ଏଭଳି ଯୋଗଜନ୍ମାଙ୍କ ବିୟୋଗରେ ଜନ୍ମମାଟି ନୟାଗଡ଼ ତଥା ସାରାରାଜ୍ୟ, ଦେଶରେ ଶୋକପ୍ରକାଶ ପାଇଛି ।

ସ୍ବର୍ଗତ ରାଧାମୋହନ ତତ୍‌କାଳୀନ ନୟାଗଡ଼ ରାଜ୍ୟ ତଥା ବର୍ତ୍ତମାନର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଓଡ଼ଗାଁ ବ୍ଲକ୍‌ ରଙ୍ଗଣିପାଟଣା ବଡ଼ସାହି ଗ୍ରାମରେ ୧୯୪୩ ଜାନୁଆରି ୩୦ରେ ବାପା ସନ୍ନ୍ୟାସୀ ପଣ୍ଡା ଓ ମା’ ମହାଦେଇଙ୍କଠାରୁ ଜନ୍ମଗ୍ରହଣ କରିଥିଲେ। ଓଡ଼ଗାଁରେ ସେ ତାଙ୍କର ସ୍କୁଲ୍‌ ଶିକ୍ଷା ଗ୍ରହଣ କରିଥିଲେ। ପରେ ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଅର୍ଥନୀତି ସମ୍ମାନରେ ସ୍ନାତକ ଶେଷ କରିଥି‌ଲେ। ୧୯୬୫ରେ ଆପ୍ଲାଏଡ୍‌ ଇକନମିକ୍ସରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥି‌ଲେ। ଅଧ୍ୟାପନାରୁ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ପ୍ରଫେସର ରାଧାମୋହନ ପରେ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିଲେ ।

ପିଲାଟି ଦିନର ବୈପ୍ଳବାତ୍ମକ ମନୋବୃତ୍ତିର ଥିବା ରାଧାମୋହନ ନିଜ ଜନ୍ମମାଟି ଅଞ୍ଚଳରେ ବ୍ୟାପକ ସମାଜସେବା, ସମାଜ ସଂସ୍କାରକମୂଳକ କାର୍ଯ୍ୟ ମଧ୍ୟ କରିଛନ୍ତି। ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ସେ ଅର୍ଥନୀତି ବିଭାଗରେ ଅଧ୍ୟାପନା କରି ୨୦୦୧ ଜାନୁଆରି ମାସରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ। ଯେଉଁ ମହାବିଦ୍ୟାଳୟରେ ସେ ପାଠ ପଢ଼ିଥିଲେ, ସେଠାରୁ ଅଧ୍ୟାପନା କରି ଅବସର ଗ୍ରହଣ କରିବା ଏକ ବିଶେଷ ସଂଯୋଗ ଥିଲା। ଅବସର ପରେ ସେ ଭାରତ ଓ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ ନିମନ୍ତେ ମଧ୍ୟ କାର୍ଯ୍ୟ କରିଛନ୍ତି।

ଓଡ଼ିଶାର ପ୍ରଥମ ସୂଚନା କମିସନର ଭାବେ ସେ ୩ ବର୍ଷ ପର୍ଯ୍ୟନ୍ତ ସଫଳତାର ସହିତ ନିଜର ଦାୟିତ୍ବ ସମ୍ପାଦନ କରିଥିଲେ। ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପରିବେଶ, ଶିକ୍ଷା, ଯୁବ ସେବା, ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ବିଭିନ୍ନ ପ୍ରକଳ୍ପ ନିମନ୍ତେ ସେ କାର୍ଯ୍ୟ କରିଥିଲେ। ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ସମେତ ରାଜ୍ୟ ଜଳଛାୟା ପ୍ରକଳ୍ପର ଉପଦେଷ୍ଟା କମିଟି ସଦସ୍ୟ, ଶିକ୍ଷା ବିଭାଗର ଟାସ୍କଫୋର୍ସ କମିଟି ସଦସ୍ୟ, ରାଜ୍ୟ ବନ୍ୟଜନ୍ତୁ ଉପଦେଷ୍ଟା ମଣ୍ଡଳୀ, ଏନ୍‌ଏସ୍‌ଏସ୍‌ ଉପଦେଷ୍ଟାମଣ୍ଡଳୀ, ଯୁଗ୍ମ ଜଙ୍ଗଲ ପରିଚାଳନା ଷ୍ଟିୟରିଂ କମିଟି ସଦସ୍ୟ, ରାଜ୍ୟ ପ୍ରଦୂଷଣ ବୋର୍ଡ ସଦସ୍ୟ, ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ନିଧିର ଉପଦେଷ୍ଟା, ଷ୍ଟେଟ୍‌ ରିସୋର୍ସ ସେଣ୍ଟରର ଉପଦେଷ୍ଟା, ଗଭର୍ଣ୍ଣିଂ ବଡି ଅଫ୍‌ ‌ଷ୍ଟେଟ୍‌ ରିସୋର୍ସ ସେଣ୍ଟର ଫର୍‌ ଆଡଲ୍ଟ ଏଜୁକେସନର ସଦସ୍ୟ, ଅଲ୍‌ ଇଣ୍ଡିଆ ରେଡିଓର କାର୍ଯ୍ୟକ୍ରମ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଆଦି ବିଭିନ୍ନ ପଦପଦବିରେ ରହି ସେ କାର୍ଯ୍ୟ କରିଥିଲେ।

ନବେ ଦଶକରେ ଓଡ଼ଗାଁ ବ୍ଲକର ରୋହିବାଙ୍କ ଅଞ୍ଚଳରେ ଟାଙ୍ଗରା ଭୂମିରେ ଜୈବିକ କୃଷି କରି ସେ ଚର୍ଚ୍ଚାକୁ ଆସିଥିଲେ। ଜୈବିକ କୃଷିକୁ ଏକ ନୂଆ ଦିଶା ଦେଖାଇଥିଲେ। ଜୈବିକ କୃଷି ତଥା ପରିବେଶ ଆଦି କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ଭାରତ ସରକାର ୨୦୨୦‌ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ସଂପୃକ୍ତ ବର୍ଷ ତାଙ୍କ ଝିଅ ସାବରମତୀଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନ ସମାନକ୍ଷେତ୍ର ପାଇଁ ପ୍ରଦାନ କରାଯାଇଥିଲା। ଜନସେବା କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ନିମନ୍ତେ ତାଙ୍କୁ ଓଡ଼ିଶା ସରକାର ଉତ୍କଳ ସେବା ସମ୍ମାନ ପ୍ରଦାନ କରିଥିଲେ ।

କେବଳ ଏତିକି ନୁହେଁ, ୟୁନାଇଟେଡ୍‌ ନେସନସ୍‌ ଏନଭାର୍‌ମେଣ୍ଟ ପ୍ରୋଗ୍ରାମ(ୟୁନିଇପି) ପକ୍ଷରୁ ପରିବେଶ କ୍ଷେତ୍ରରେ ଅବଦାନ ପାଇଁ ‘ଦି ଗ୍ଲୋବାଲ ରୋଲ୍‌ ଅଫ୍‌ ଅନର୍‌’ ସମ୍ମାନ ପ୍ରଦାନ କରାଯାଇଥିଲା। ସାବରମତୀଙ୍କ ସମେତ ବିଶ୍ବଭାରତୀ ଓ ଅମରାବତୀ ‌ହେଉଛନ୍ତି ପ୍ରଫେସରଙ୍କ ରାଧାମୋହନଙ୍କ ଅନ୍ୟ ଦୁଇ କନ୍ୟା। ସମସ୍ତେ ନିଜ ନିଜ କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି। ଏଭଳି ଜଣେ ସନ୍ତାନଙ୍କୁ ହରାଇ ଜନ୍ମମାଟି ରଙ୍ଗଣିପାଟଣା ତଥା ନୟାଗଡ଼ ଜିଲ୍ଲା ତାଙ୍କୁ ଝୁରି ହେଉଛି। କେବଳ ଏତିକି ନୁହେଁ, ଦେଶର ବିଭନ୍ନ କୋଣ ଅନୁକୋଣରେ ଥିବା ପରିବେଶପ୍ରେମୀଙ୍କ ମଧ୍ୟରେ ଶୋକପ୍ରକାଶ ପାଇଛି।

Comments are closed.