କରୋନାରେ ପ୍ରାଣ ହରାଇଥିବା ଓଡ଼ିଶାର ପୂର୍ବତନ ରଣଜୀ ଖେଳାଳୀଙ୍କୁ ମନେପକାଇଲେ ସଚିନ୍ : ଗୁରୁ ରମାକାନ୍ତ ଆଚରେକରଙ୍କ ଠାରୁ କ୍ରିକେଟ କୌଶଳ ଶିଖୁଥିଲେ

496

କନକ ବ୍ୟୁରୋ : ପୂର୍ବତନ ରଣଜୀ କ୍ରିକେଟର ତଥା ବିଶିଷ୍ଠ ସ୍ଥପତି ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କୁ ମନେ ପକାଇଛନ୍ତି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର । ମାଷ୍ଟର ବ୍ଲାଷ୍ଟର କହିଛନ୍ତି- ପ୍ରଶାନ୍ତ ତାଙ୍କର ନିକଟତମ ବନ୍ଧୁ ନଥିଲେ, ହେଲେ ସେ ତାଙକୁ ଖୁବ ଭଲଭାବେ ଜାଣିଥିଲେ । ସବୁଠାରୁ ବଡକଥା ହେଉଛି ସଚିନଙ୍କ ଗୁରୁ ରମାକାନ୍ତ ଆଚରେକରଙ୍କଠାରୁ କ୍ରିକେଟ ପ୍ରଶିକ୍ଷଣ ନେଉଥିଲେ ପ୍ରଶାନ୍ତ ମହାପାତ୍ର ।

ମୁମ୍ବାଇର ଶିବାଜୀ ପାର୍କରେ ନେଟ୍ସରେ ବ୍ୟାଟିଂ କରୁଥିବାବେଳେ ଆଚରେକର ତାଙ୍କୁ ନିଜ ଏକାଡେମୀରେ ନେଇଥିଲେ । ଓଡିଶା ରଣଜୀ ଦଳର ପୂର୍ବତନ ଓପନର ତଥା ବିସିସିଆଇ ମ୍ୟାଚ ରେଫରୀ ପ୍ରଶାନ୍ତଙ୍କୁ ମନେ ପକାଇ ସଚିନ ଆହୁରି ଲେଖିଛନ୍ତି ଯେ, ତାଙ୍କ ହସହସ ମୁହଁ ଏବଂ ସରଳ ସ୍ୱଭାବ ଗୋଟିଏ ଦୁଇଟି ଭେଟରେ ହିଁ ହୃଦୟ ଜିତି ନେଇଥିଲା । ଭାରତୀୟ କ୍ରିକେଟ ଟିମ୍ କଟକ କିମ୍ବା ଭୁବନେଶ୍ୱର ଆସିଲେ ପହଂଚି ଯାଉଥିଲେ ପ୍ରଶାନ୍ତ ଏବଂ ଘର ତିଆରି ଖାଦ୍ୟ ସାଙ୍ଗରେ ଆଣୁଥିଲେ । ପରସ୍ପରକୁ ଅଭିବାଦନ କରିବା ସହ ପରସ୍ପରର ଘରକଥା ପଚାରି ବୁଝୁଥିଲେ ।

ସେହିପରି ସଚିନଙ୍କ ଘରେ ଥିବା ଗଣେଶ ମୂର୍ତିଟିକୁ ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ନିର୍ମାଣ କରିଥିଲେ । ଶିଳ୍ପୀ ରଘୁନାଥ ମହାପାତ୍ରଙ୍କର ଗତ ୯ ତାରିଖରେ କରୋନାରେ ପରଲୋକ ହେବାର ୧୦ ଦିନ ପରେ ପ୍ରଶାନ୍ତଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିଲା ।