କନକ ବ୍ୟୁରୋ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କର ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ କିଛିଦିନ ହେଲା ଅସୁସ୍ଥ ହୋଇ ସମ୍ ଅଲ୍‌ଟିମେଟ୍‌ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ । ଶ୍ରୀ ବିଶ୍ବାଳଙ୍କ ପରଲୋକରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ପିସିସି ସଭାପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ତାଙ୍କ ବିୟୋଗରେ ରାଜ୍ୟ ରାଜନୀତି ବିଶେଷକରି ପଶ୍ଚିମ ଓଡ଼ିଶା ରାଜନୀତିରେ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ଆଜି ଜନ୍ମମାଟି ଲଇକେରାରେ ତାଙ୍କର ଅନ୍ତିମ ସତ୍କାର ହେବ ।

Advertisment

ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଏକ ଅଣରାଜନୈତିକ ସାଧାରଣ ଆଦିବାସୀ ପରିବାରରେ ଜନ୍ମିତ ହେମାନନ୍ଦ ବିଶ୍ବାଳ ଦୁଇ ଦୁଇ ଥର ଓଡ଼ିଶାର ସର୍ବୋଚ୍ଚ ରାଜନୈତିକ ପଦ ମଣ୍ଡନ କରିଥିଲେ । ସ୍ବଳ୍ପ ସମୟ ପାଇଁ ହେଲେ ବି ସେ ପଶ୍ଚିମ ଓଡ଼ିଶାର ଦ୍ବିତୀୟ ବ୍ୟକ୍ତି ଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ। ନିଜ ରାଜନୈତିକ ଜୀବନରେ ହେମାନନ୍ଦ ଅନେକ ଉତ୍‌ଥାନ ପତନ ଦେଖିଛନ୍ତି । ୧ ଡିସେମ୍ବର ୧୯୩୯ରେ ଝାରସୁଗୁଡ଼ା ଜିଲ୍ଲା ଠାକୁରପଡ଼ାରେ ତାଙ୍କର ଜନ୍ମ ।

ମା’ ମାତ୍ରିମଣି ବିଶ୍ୱାଳ ଓ ବାପା ବାସୁଦେବ ବିଶ୍ବାଳଙ୍କ ୩ ଝିଅ ଓ ୪ ପୁଅଙ୍କ ମଧ୍ୟରେ ହେମାନନ୍ଦ ଥିଲେ ତୃତୀୟ। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ଛାତ୍ର ଜୀବନରୁ ତାଙ୍କ ନେତୃତ୍ବ ଦକ୍ଷତା ଜଣା ପଡ଼ିଥିଲା। ଅର୍ଡା ପ୍ରାଥମିକ ବିଦ୍ୟାଳୟ ଓ କିର୍ମିରା ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ପରେ ସେ କୁଚିଣ୍ଡା ସରକାରୀ ହାଇସ୍କୁଲ୍‌ରୁ କୃତିତ୍ବର ମାଟ୍ରିକ୍ ପାସ୍ କରିଥିଲେ । ସୁନ୍ଦରଗଡ଼ ମହାବିଦ୍ୟାଳୟରେ ସେ ଆଇଏ ପାସ୍ କରିଥିଲେ । ଛାତ୍ର ଜୀବନରେ ଖେଳ ଓ ନାଟକ ଆଦି ପ୍ରତି ତାଙ୍କର ସ୍ବତନ୍ତ୍ର ରୁଚି ରହିଥିଲା।

ସେ ଫୁଟବଲ୍, ଆଥ୍ଲେଟିକ୍ସ ଆଦି ଖେଳ ସହିତ ନାଟକରେ ନିଜ ଶିକ୍ଷାନୁଷ୍ଠାନର ନାଁ ରଖିଥିଲେ। ସେ ମଧ୍ୟ ନିଜ ସୃଜନ ଦକ୍ଷତା ପ୍ରତିପାଦନ କରି ଅନେକ ଗଳ୍ପ, କବିତା ଲେଖିଥିଲେ। କିର୍ମିରା ସରକାରୀ ହାଇସ୍କୁଲ୍‌ରେ ଖେଳ ଶିକ୍ଷକ ଭାବେ ସେ ଚାକିରି ଜୀବନ ଆରମ୍ଭ କରିଥିଲେ । କିନ୍ତୁ ରାଜ୍ୟର ନେତୃତ୍ବ ନେବାର ଦକ୍ଷତା ରଖୁଥିବା ବ୍ୟକ୍ତିଙ୍କୁ ଶିକ୍ଷକତା ଭଳି ପେସା ବାନ୍ଧି ରଖିପାରି ନ ଥିଲା । ତେଣୁ କିଛି ବର୍ଷ ମଧ୍ୟରେ ଶିକ୍ଷକତା ଛାଡ଼ି ସେ ରାଜନୀତିରେ ପାଦ ଥାପିଥିଲେ । ୧୯୬୭ରୁ ୧୯୭୧ ପର୍ଯ୍ୟନ୍ତ ସେ ଝାରସୁଗୁଡ଼ା ଜିଲ୍ଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।

୧୯୭୦ରେ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ତା’ ପରଠାରୁ ଆଉ କେବେ ପଛକୁ ଫେରି ଚାହି ନାହାନ୍ତି ହେମାନନ୍ଦ । ଜୀବନରେ ଅନେକ ପଦପଦବିରେ ମଣ୍ଡିତ ହୋଇଥିବା ଏହି ଆଦିବାସୀ ନେତା ଜୀବନର ଶେଷ ସମୟ ପର୍ଯ୍ୟନ୍ତ କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରିଥିଲେ। ୧୯୭୪ରେ ପ୍ରଥମ ଥର ପାଇଁ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଲଇକେରା ନିର୍ବାଚନମଣ୍ଡଳୀରୁ ସେ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୮୦ରୁ ୨୦୦୪ ପର୍ଯ୍ୟନ୍ତ ଲଗାତାର ୫ ଥର ବିଧାୟକ ନିର୍ବାଚିତ ହୋଇଥିଲେ ।

୧୯୮୪ରେ ସେ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଦାୟିତ୍ବ ତୁଲାଇଥିଲେ । ୧୯୮୫ରୁ ୮୬ ପର୍ଯ୍ୟନ୍ତ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୭ ଡିସେମ୍ବର ୧୯୮୯ ରୁ ୫ ମାର୍ଚ୍ଚ ୧୯୯୯ ଓ ୬ ଡିସେମ୍ବର ୧୯୯୯ରୁ ୫ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ସେ ମୋଟ ୧୭୮ ଦିନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଥିଲେ । ୧୯୯୫ରୁ ୧୯୯୯ ମସିହା ପର୍ଯ୍ୟନ୍ତ ସେ ଜାନକୀ ପଟ୍ଟନାୟକଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିଲେ । ସେ ମଧ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଆସନରୁ ନିର୍ବାଚିତ ହୋଇ ପଞ୍ଚଦଶ ଲୋକସଭାର ସଦସ୍ୟ ହୋଇଥିଲେ ।