ବେଆଇନ ଅର୍ଥ ଆଦାୟ ମାମଲା, ମୁମ୍ବାଇର ପୂର୍ବ ପୋଲିସ କମିଶନର ପଳାତକ ଘୋଷିତ

108

କନକ ବ୍ୟୁରୋ : ବେଆଇନ ଅର୍ଥ ଆଦାୟ ମାମଲାରେ ଫଶି ଫେରାର ହୋଇଯାଇଥିବା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ପଳାତକ ଘୋଷଣା କରାଯାଇଛି । ସରକାରୀ ଓକିଲ ଶେଖର ଜଗତାପ କହିଛନ୍ତି କି ତାଙ୍କ ଦ୍ୱାରା କୋର୍ଟରେ କରାଯାଇଥିବା ଆବେଦନକୁ ସ୍ୱିକୃତି ମିଳିଛି । ସେ କହିଛନ୍ତି କି ମୁମ୍ବାଇର ଏକ୍ସପ୍ଲାନଡେଡ କୋର୍ଟ ପୂର୍ବ ପୋଲିସ କମିଶନର ପରମବୀର ସିଂଙ୍କୁ ପଳାତକ ଘୋଷଣା କରିବାକୁ ମୁମ୍ବାଇ ପୋଲିସର ଆବେଦନକୁ ଗ୍ରହଣ କରିଛନ୍ତି ।

ଏବେ ମୁମ୍ବାଇ ପୋଲିସ ପରମବୀର ସିଂଙ୍କୁ ପଳାତକ ଘୋଷଣା କରିବାକୁ ପ୍ରକ୍ରିୟା ଆରମ୍ଭ କରିପାରେ । ଜଗତାପ କହିଛନ୍ତି କି, ଯଦି ପରମବୀର ସିଂ ୩୦ ଦିନ ମଧ୍ୟରେ ଆଇନ ସାମ୍ନାରେ ହାଜର ନ ହୁଅନ୍ତି ତେବେ ମୁମ୍ବାଇ ପୋଲିସ ତାଙ୍କର ସମ୍ପତ୍ତି ଜବତ କରିବା କାମ ଆରମ୍ଭ କରିବ ।

କହିରଖୁ କି ଶନିବାର ଦିନ ମୁମ୍ବାଇ କ୍ରାଇମବ୍ରାଞ୍ଚ ତରଫରୁ ପୂର୍ବ ପୋଲିସ କମିଶନର ପରମବୀର ସିଂ ସମେତ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ବେଆଇନ ଅର୍ଥ ଆଦାୟ ମାମଲାରେ ପଳାତକ ଅଭିଯୁକ୍ତ ଘୋଷଣା କରିବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଥିଲା । ଜଣେ ଅଧିକାରୀ ଏନେଇ ସୂଚନା ଦେଇଥିଲେ । ଜଣେ ସରକାରୀ ଓକିଲଙ୍କ କହିବା ମୁତାବକ ଜାମିନ ବିହିନ ଗିରଫ ପରୱାନା ଜାରି ହେବା ପରେ ବି ପରମବୀର ସିଂଙ୍କର କୌଣସି ଖବର ମିଳି ନଥିଲା । ତେଣୁ ବାଧ୍ୟ ହୋଇ ତାଙ୍କୁ କୋର୍ଟ ପଳାତକ ଘୋଷଣା କରିଛନ୍ତି ।

 

ସରକାରୀ ଓକିଲ କହିଛନ୍ତି କି କ୍ରାଇମବ୍ରାଞ୍ଚ ତରଫରୁ ଏହି ମାମଲାରେ ଅନ୍ୟ ୨ ଅଭିଯୁକ୍ତ ବିଜୟ ସିଂ ଓ ରିୟାଜ ଭଟ୍ଟଙ୍କ ବିରୋଧରେ ବି ଏଭଳି ଆଦେଶ ଦେବାକୁ କୋର୍ଟରେ ଦାବି କରାଯାଇଛି ।