ଜେଲରୁ ଜାମିନରେ ବାହାରିଲେ ପୂର୍ବତନ ବିଧାୟକ: ଦୀର୍ଘ ୧୦ମାସ ପରେ ଜେଲରୁ ବାହାରିଛନ୍ତି ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି

221

କନକ ବ୍ୟୁରୋ: ଜେଲରୁ ଜାମିନରେ ବାହାରିଲେ ପୂର୍ବତନ ବିଧାୟକ । ଦୀର୍ଘ ୧୦ମାସ ପରେ ଜେଲରୁ ବାହାରିଛନ୍ତି ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି । ଗତ ୨୦୨୩ ଜୁଲାଇ ୩୧ତାରିଖରେ ନାରାୟଣ ରେଡିଙ୍କ ସମେତ ୧୩ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତୃତୀୟ । ଏହାକୁ ନେଇ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ ନାରାୟଣ । ଗତକାଲି ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇ ନାରାୟଣ ରେଡି ଓ ତାଙ୍କ ପୁତୁରା ଦିଲ୍ଲୀପ ରେଡି ଓ କାଳିପଲ୍ଲୀ ପଂଚାୟତର ପୁର୍ବତନ ସମିତି ସଭ୍ୟ କାମରାଜୁ ବ୍ରହ୍ପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି । ଜେଲରୁ ବାହାରିବା ପରେ ସମର୍ଥକ ଓ ସିପିଆଇ କର୍ମୀମାନେ ପୂର୍ବତନ ବିଧାୟକଙ୍କୁ ସମ୍ବର୍ଧିତ କରିଛନ୍ତି । ହାଇକୋର୍ଟରୁ ମିଳିଥିବା ଆନ୍ତରିଣ ଜାମିନ ନିୟମିତ ହେବା ନେଇ ଆଶା ରଖିଛନ୍ତି ନାରାୟଣ ରେଡି । ତେବେ ୧୯୯୮ ଜୁନ ୧୬ରେ ଗଞ୍ଜାମ ଜିଲ୍ଲା ସିନ୍ଧିଗାଁରେ ଟାଟା ପ୍ରକଳ୍ପ ଲାଗି ଜମି ଅଧିକରଣ ସମୟରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏହି ସଂଘର୍ଷରେ ଗଞ୍ଜାମ ପୋଲିସ ଜିଲ୍ଲାର କାର୍ଯ୍ୟରତ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କ ଉପରକୁ କେହି ବୋମା ଫିଙ୍ଗିବା ଫଳରେ ତାଙ୍କର ମୃତ୍୍ୟୁ ଘଟିଥିଲା । ତତ୍କାଳୀନ ଜିଲ୍ଲାପାଳ ଓ ଏସ୍ପିଙ୍କ ସିକ୍ୟୁରିଟି ଅଫିସରଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ୨ଟି ଘଟଣାରେ ୨୨ଜଣଙ୍କ ନାମରେ ମାମଲା ହୋଇଥିଲା । ମାମଲାର ଶୁଣାଣି ବେଳକୁ ୬ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଅକର୍ମଣ୍ୟ ହୋଇଥିଲେ । ମୋଟ ୬୫ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ପୂର୍ବତନ ବିଧାୟକଙ୍କ ସମେତ ୧୩ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ଅତିରିକ୍ତ ଜିଲ୍ଲା ଦୌରାଜଜ ତୃତୀୟ । ଗତକାଲି ସଂଧ୍ୟାରେ ନାରାୟଣଙ୍କ ସମେତ ତାଙ୍କ ଦୁଇ ସହଯୋଗୀ ଜେଲରୁ ବାହାରିଥିବା ବେଳେ ଖୁବଶୀଘ୍ର ଏହି ମାମଲାରେ ଅନ୍ୟ ୧୦ଜଣ ମଧ୍ୟ ଅନ୍ତରୀଣ ଜାମିନରେ ବାହାରିବେ ବୋଲି କହିଛନ୍ତି ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡି ।