କନକ ବ୍ୟୁରୋ : ଦିନେ ପୂର୍ବରୁ ଟିକେଟ ନ ମିଳିବାରୁ ଭୋ ଭୋ ହୋଇ କାନ୍ଦୁଥିଲେ । ଆଉ ଆଜି ପୁରୁଣା ଦଳ ଛାଡି ନୂଆ ଦଳର ହାତ ଧରିଛନ୍ତି ସିଧୋଲିର ପୂର୍ବତନ ବିଧାୟକ ମନୀଷ ରାୱତ । ସମାଜବାଦୀ ପାର୍ଟିରୁ ପୂର୍ବରୁ ବିଧାୟକ ଥିବା ମନୀଷ ଚଳିତ ନିର୍ବାଚନରେ ଟିକେଟ ପାଇବେ ବୋଲି ମଧ୍ୟ ଆଶା ବାନ୍ଧିଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କର ଟିକେଟ କାଟି ଦିଆଗଲା । ଆଉ ଏହି ଖବର ଜାଣିବା ପରେ ବେଶ ଭାଙ୍ଗି ପଡିଥିଲେ ମନୀଷ । ସମର୍ଥକଙ୍କ ସମ୍ମୁଖରେ ଭୋ ଭୋ ହୋଇ କାନ୍ଦିଥିଲେ । କିନ୍ତୁ ଏହି ଘଟଣାର ଦିନକ ପରେ ଏବେ ମନୀଷ ବିଜେପି କ୍ୟାମ୍ପରେ । ଆଜି ଉତ୍ତରପ୍ରଦେଶ ବିଜେପିର ସଭାପତି ସ୍ୱତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ମନୀଷଙ୍କୁ ଦଳରେ ସାମିଲ କରାଯାଇଛି । ଏପରିକି ସିଧୋଲି ଆସନରୁ ତାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ମଧ୍ୟ କୁହାଯାଉଛି ।
ମିଳିଥିବା ସୂଚନା ମୁତାବକ, ଦୀର୍ଘ ଦିନ ହେବ ସିଧୋଲି ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ ମନୀଷ । କିନ୍ତୁ ସମାଜବାଦୀ ପାର୍ଟି ଶେଷ ମୁର୍ହୂତ୍ତରେ ମନୀଷଙ୍କ ଟିକେଟ କାଟିଥିଲା । ଆଉ ଏହାପରେ ଭୋ ଭୋ ହୋଇ କାନ୍ଦିଥିଲେ ମନୀଷ । ଆଉ କାହା ନାଁ ନନେଇ ସମାଜବାଦୀ ପାର୍ଟି ଉପରେ ବର୍ଷିଥିଲେ । ମନୀଷ କହିଥିଲେ, ଶେଷରେ ଟଙ୍କା ଜିତିଗଲା ଓ ସିଧୋଲି ଜନତାଙ୍କର ପରିଶ୍ରମ ହାରିଗଲା । ମନୀଷ ଏହାପୂର୍ବରୁ ୨୦୧୨ରେ ସମାଜବାଦୀ ପାର୍ଟି ତରଫରୁ ବିଧାୟକ ହୋଇଥିଲେ । ସମାଜବାଦୀ ପାର୍ଟିର ପୂର୍ବତନ ସାଂସଦ ସୁଶୀଲା ସରୋଜଙ୍କର ଜ୍ୱାଇଁ ହେଉଛନ୍ତି ମନୀଷ ।
କେବଳ ମନୀଷ ନୁହଁନ୍ତି ବିଏସପି ନେତା ତଥା ପୂର୍ବତନ ମନ୍ତ୍ରୀ ରଙ୍ଗନାଥ ମିଶ୍ର ମଧ୍ୟ ଶନିବାର ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ଜନକଲ୍ୟାଣକାରୀ ନୀତିରେ ପ୍ରଭାବିତ ହୋଇ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି ରଙ୍ଗନାଥ ।