ଶହେ ବର୍ଷରେ ପହଞ୍ଚିିଲେ ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ । ସ୍ୱାଧୀନତା ପରର ପ୍ରଥମ ସାଧାରଣ ନିର୍ବାଚନରେ ଜିତି ହୋଇଥିଲେ ବିଧାୟକ

205

କନକ ବ୍ୟୁରୋ: ମକରଧ୍ୱଜ ପ୍ରଧାନ, ବୟସ ୧୦୦ ବର୍ଷ । ଏ ଜଣେ ସାଧାରଣ ମଣିଷ ନୁହେଁ । ଦେଶର ପ୍ରଥମ ନିର୍ବାଚନ ଲଢିଥିବା ତଥା ଜିତିଥିବା ଜଣେ ପୂର୍ବତନ ବିଧାୟକ । ୧୯୫୨ ମସିହା ମାର୍ଚ୍ଚ ୨୭ରେ ସୋସିଆଲିଷ୍ଟ ପାର୍ଟିରୁ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା-ମୁରା ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ି ସେ ବିଧାନସଭାକୁ ଯାଇଥିଲେ । ବୟସ ୧୦୦ ଛୁଇଁଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ ସଂପୂୂର୍ଣ୍ଣ ସୁସ୍ଥ ଅଛନ୍ତି । ପ୍ରତି ଦିନ ଦୁଇ ଥର ଖାଇବା ଖାଆନ୍ତି ମକରଧ୍ୱଜ । ସୁସ୍ଥ କେମିତି ଅଛନ୍ତି ବୋଲି ପ୍ରଶ୍ନ କରିବାରୁ କହିଛନ୍ତି ମନରେ ଅହଙ୍କାର ଥିଲେ ମଣିଷ ଅଧିକ ଦିନ ବଞ୍ଚିପାରେ ନାହିଁ ।

ନିଜ ସମୟର ନିର୍ବାଚନ କାହାଣୀକୁ କନକ ନ୍ୟୁଜ ସାମ୍ନାରେ ବର୍ଣ୍ଣନା କରିଛନ୍ତି ମକରଧ୍ୱଜ । କହିଛନ୍ତି ମାତ୍ର ୮୫୦ ଟଙ୍କା ଓ ଚାଉଳ, ଡାଲି ଧରି ନିର୍ବାଚନ ଲଢିଥିଲେ ସେ । ପତାକା ତିଆରି ପାଇଁ କିଛି ଟଙ୍କା ଓ ଖାଇବାକୁ ଚାଉଳ ଡାଲି ଧରି ନିର୍ବାଚନ ମୈ÷ଦାନକୁ ଓହ୍ଲାଇଥିଲେ ।ମୋଟ ୩୫୦୦ ଭୋଟ୍ ପାଇ ଜିତିଥିଲେ ।ତାଙ୍କ ସମୟର ନିର୍ବାଚନ ଓ ଏବେର ନିର୍ବାଚନରେ ଆକାଶ ପାତାଳ ଫରକ ରହିଛି ବୋଲି ସେ କହିଛନ୍ତି । ଏବେ ବ୍ୟବହାର ହେଉଥିବା ବିପୁଳ ପରିମାଣର ଟଙ୍କା ଦେଖି ସେ ଆବାକ୍ ହୋଇଯାଉଛନ୍ତି ।

ବିଧାୟକ ହୋଇ ଦରମା ନେଉନଥିଲେ ମକରଧ୍ୱଜ । ସେତେବେଳେ ୨୦୦ ଟଙ୍କା ଭତ୍ତା ପାଉଥିଲେ । ତାଙ୍କ ଦଳର ନିୟମ ରହିଥିଲା ବିଧାୟକ ନିଜ ଭତ୍ତାକୁ ଦାନ କରିବେ । ତେଣୁ ଜୀବନରେ କେବେ ଦରମା ଦେଖିନାହାନ୍ତି ବୋଲି ମକରଧ୍ୱଜ କହିଛନ୍ତି । ଲୋକଙ୍କ ସେବା ହି ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଥିଲା ।