ନିର୍ବାଚନ ପୂର୍ବରୁ କେନ୍ଦୁଝର ଘଷିପୁରାରେ ଗଡିଲା ମୁଣ୍ଡ । ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ନିର୍ମମ ହତ୍ୟା, ପତିଆରା ପ୍ରଦର୍ଶନ ପାଇଁ କଟା ହାତ ଧରି ଗାଁ ଦାଣ୍ଡରେ ବୁଲିଲେ ଦୁର୍ବୃତ ।

428

କନକ ବ୍ୟୁରୋ : କେନ୍ଦୁଝର ଘଷିପୁରାରେ ନିର୍ବାଚନୀ ହିଂସା । ରାଜନୈତିକ ପତିଆରା ପ୍ରଦର୍ଶନ ପାଇଁ ଜଣେ ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ହତ୍ୟାର ବୀଭତ୍ସ ଚିତ୍ର ସାମ୍ନାକୁ ଆସିଛି । ଦୁର୍ବୃତ ମାନେ ରାମଚନ୍ଦ୍ର ବେହେରାଙ୍କ ଘରେ କୋଲ୍ଡ ଡ୍ରିଙ୍କସ ପିଇବା ପରେ ବାହାରକୁ ଆଣି ନିର୍ମମ ଭାବେ ହତ୍ୟା କରିଛନ୍ତି । ଖଣ୍ଡାରେ ତାଙ୍କ ହାତ, ଗୋଡ ଓ ମୁଣ୍ଡକୁ ହାଣିପକାଇଛନ୍ତି । କେବଳ ସେତିକି ନୁହେଁ କଟାହାତ ଧରି ଗାଁ ଦାଣ୍ଡସାରା ବୁଲିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ, ରାଜନୈତିକ ଶତ୍ରୁତା କାରଣରୁ ଏଭଳି ବିଭତ୍ସ କାଣ୍ଡ ଭିଆଇଛନ୍ତି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ । ପୋଲିସ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ୩ଜଣଙ୍କୁ ଗିରଫ କରି ପଚରା ଉଚରା ଜାରି ରଖିଛି । ଭୋଟ୍ ପଡିବା ପୂର୍ବରୁ ଏଭଳି ହତ୍ୟାକାଣ୍ଡ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି ।

ବିଭତ୍ସତାର ସବୁସୀମା ପାର । ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ନିର୍ମମ ଭାବେ ହତ୍ୟା । ନିର୍ବାଚନକୁ ଅଳ୍ପ ଦିନ ଥିବା ବେଳେ ଘଷିପୁରାରେ ଏହି ହତ୍ୟାକାଣ୍ଡ ପୁଣି ଥରେ ଗୋଟିଏ କଥା ବୟାନ କରିଛି ସବୁକିଛି ଠିକ୍ ଚାଲିନି । ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ମୃତକଙ୍କ ଝିଅର ବୟାନ ଅନୁସାରେ ବାପା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଗତକାଲି ସନ୍ଧ୍ୟାରେ ୪ରୁ୫ଜଣ ଲୋକ ଡାକିବାକୁ ଆସିଥିଲେ । ଘରେ ବସିଲେ ଖାଇଲେ ପିଇଲେ ଆଉ ସାଙ୍ଗରେ ବାହାରକୁ ନେଇଗଲେ ବାପାଙ୍କୁ । କିଛି ମିନିଟ ମଧ୍ୟରେ ଯୋଜନା ମୁତାବକ ଅଳ୍ପଦୂରରେ ଲୁଚିରହିଥିବା ୧୦ରୁ ୧୫ ଜଣ ଯୁବକ ଅଚାନକ ଖଣ୍ଡାରେ କରିଥିଲେ ଆକ୍ରମଣ । ହାତ, ଗୋଡ ଓ ମୁଣ୍ଡକୁ ଅତି ନୃଶଂସ ଭାବେ ହାଣି ଚାଲିଥିଲେ । ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ କଟା ପାପୁଲି ଧରି ଗାଁ ଦାଣ୍ଡରେ ବୁଲିଥିଲେ ଦୁବୃର୍ତ । ଆଉ ଝିଅ ପାଟି କରିବାରୁ ମୋଟର ସାଇକେଲରେ ହୋଇଯାଇଥିଲେ ଫେରାର । ରକ୍ତ ଜୁବୁବୁଡୁ ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର ସମୟରେ ରାମଚନ୍ଦ୍ରଙ୍କ ମୃତ୍ୟୁ ହୋଇଗଲା ।

ଘଷିପୁରାରେ ନିର୍ବାଚନୀ ହିଂସାକାଣ୍ଡ । ରାଜନୈତିକ ଶତ୍ରୁତାରୁ ହତ୍ୟା ଅଭିଯୋଗ ! କୁହାଯାଉଛି ଏହି ହତ୍ୟାକାଣ୍ଡ ପଛରେ ରହିଛି ରାଜନୈତିକ ପତିଆରା ଜାହିର କରିବାର ମାନସିକତା । ସୂଚନା ଅନୁସାରେ ଆଜି ବିଜେଡିରେ ସାମିଲ ହୋଇଥାନ୍ତେ ରାମଚନ୍ଦ୍ର ବେହେରା । ଏଥିପାଇଁ ସରିଥିଲା ସମସ୍ତ କଥାବାର୍ତା । ହେଲେ ସେ ବିଜେଡିରେ ସାମିଲ ହେବାକୁ ସହଜରେ ଗ୍ରହଣ କରିପାରୁନଥିଲେ ଦଳର ଗୋଟିଏ ଗୋଷ୍ଠୀ । ଯାହାକୁ ନେଇ ଲାଗି ରହିଥିବା ଛକାପଂଛାର ପରିଣତି ହେଉଛି ହତ୍ୟାକାଣ୍ଡ । ଦିଆଯାଇଥିବା ଏତଲାରେ ଯେଉ ସବୁ ବ୍ୟକ୍ତିଙ୍କ ନାଁ ରହିଛି, ସେମାନଙ୍କ ମଧ୍ୟରୁ କିଛି ଶାସକ ଦଳର ଜିଲ୍ଲାସ୍ତରୀୟ ନେତା ।

ଏହି ହତ୍ୟାକାଣ୍ଡ ଫଳରେ କେନ୍ଦୁଝର ଜିଲ୍ଲା ବିଜେଡି ସଂଗଠନ ଆସିଯାଇଛି ବିବାଦ ଘେରକୁ । ବର୍ଷ ବର୍ଷ ଧରି ଅପରାଧିକ ତତ୍ୱକୁ ଦୃଢ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣା ଉପରେ କଣ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଏବେ ତା ଉପରେ ସମସ୍ତଙ୍କ ନଜର ରହିଛି । କାହିଁକି ନା ଅପରାଧିକ ତତ୍ୱ ଉପରେ ଯଦି କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା ବୋଧହୁଏ ଏପରି ହତ୍ୟାକାଣ୍ଡ ଘଟିନଥାନ୍ତା ।

ଅନ୍ୟପକ୍ଷରେ ଏହି ରାଜନୈତିକ ହିଂସାକାଣ୍ଡକୁ ନେଇ ତୀବ୍ର ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି । ଉଭୟ କଂଗ୍ରେସ ଏବଂ ବିଜେପି ନିର୍ବାଚନ ପୂର୍ବରୁ ଏପରି ହିଂସାକାଣ୍ଡକୁ ସମାଲୋଚନା କରିଛନ୍ତି । ପୋଲିସ ଏହି ଘଟଣାରେ ୭ଜଣଙ୍କୁ ଗିରଫ କରିସାରିଛି । କାହିଁକି ଏବଂ କେଉଁ ପରିସ୍ଥିତିରେ ଏପରି ହତ୍ୟାକାଣ୍ଡ ଘଟିଲା ସେନେଇ ଅଧିକ ଛାନଭିନ କରୁଛି ପୋଲିସ । ୨୦୧୪ ମସିହାରେ ରାମଚନ୍ଦ୍ର ବେହେରା ସ୍ୱାଧୀନଭାବେ ନିର୍ବାଚନ ଲଢିଥିଲେ । ୧୫,୮୪୯ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ରାମଚନ୍ଦ୍ର । ତେବେ ନିର୍ବାଚନ ପୂର୍ବରୁ ଏହି ହିଂସାକାଣ୍ଡ ଘଷିପୁରାରେ ବିଜେଡିର ସାଂଗଠନିକ ମତଭେଦକୁ ପଦାରେ ପକାଇଛି ।