ସାଧାରଣ ଲୋକଙ୍କୁ ମିଳୁନି ଭାକସିନ୍, ହେଲେ ଘରେ ବସି ଟିକା ନେଇଗଲେ ମଡେଲ । ଇନଷ୍ଟାଗ୍ରାମରେ ପୋଷ୍ଟ କଲେ ଫଟୋ । ସମାଲୋଚନା ପରେ ହଟାଇଦେଲେ ପୋଷ୍ଟ 

357

କନକ ବ୍ୟୁରୋ: ଏଥିରେ ସନ୍ଦେହ ନାହିଁ ଯେ, ଗ୍ଲାମରର ଆକର୍ଷଣ ରହିଛି । କିନ୍ତୁ ଏତେ ବଡ଼ ପ୍ରଭାବ ରହିଛି, ଆମେ ଜାଣିନଥିଲୁ, ହୁଏତ ଆପଣ ବି ଜାଣିନଥିବେ । ଏହି ମାଡମ୍ ଜଣକ ହେଉଛନ୍ତି ଶ୍ରୁତି ଶିଖା ନାୟକ । ୨୦୧୮ ଏଫ୍ବିବି କଲର୍ସ ଫେମିନା ମିସ୍ ଇଣ୍ଡିଆର ସେମି ଫାଇନାଲ ଲିଷ୍ଟ । ବେଆଇନ୍ ଭାବେ ଘରେ ବସି କରୋନା ଟିକା ନେଇ ଯାଇ ଚୁପ୍ ବସି ଯାଇନାହାଁନ୍ତି । ଗର୍ବରେ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ମ୍ୟାଡମ୍ ଲେଖିଛନ୍ତି-

– ମୋତେ ଟିକା ପାଇଁ ବାହାରକୁ ଯିବାକୁ ପଡ଼ିନାହିଁ କିମ୍ବା ସ୍ଲଟ୍ ପାଇଁ ଅପେକ୍ଷା କରିବାକୁ ପଡ଼ିନାହିଁ । ମୋ ଘରେ ଟିକା ପହଂଚାଇବାରେ ସାହାଯ୍ୟ କରିଥିବା ଆଶିଷ ବାଟଲା ଏବଂ ସୁଶ୍ରୀ ପ୍ରିୟଦର୍ଶିନୀଙ୍କୁ ଧନ୍ୟବାଦ ଜଣାଉଛି ।

ଇନଷ୍ଟାଗ୍ରାମରେ କରିଥିବା ଏହି ପୋଷ୍ଟକୁ ଆବଶ୍ୟ କିଛି ସମୟ ପରେ ଡିଲିଟ୍ କରି ଦେଇଛନ୍ତି ଶ୍ରୁତି ଶିଖାନାୟକ । କାରଣ ଏହାକୁ ନେଇ ଉଭୟ ଇନ୍ଷ୍ଟାଗ୍ରାମ ଓ ଟୁଇଟରରେ ଅନେକ ପ୍ରତିବାଦର ସ୍ୱର ଉଠିଥିଲା । ଏବେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । ଟିକା ପାଇଁ କେଉଁ ଭଳି ସ୍ଥିତିର ସମ୍ମୁଖିନ ହେଉଛନ୍ତି ଲୋକ । ଟିକାକରଣ କେନ୍ଦ୍ରରେ ଘଂଟା ଘଂଟା ଧରି ଅପେକ୍ଷା କରିବା ପରେ ଟିକା ମିଳୁନଥିବା ବେଳେ ମାରପିଟ୍ ଭଳି ସ୍ଥିତି ସୃଷ୍ଟି ହେଉଛି । ଆଉ ଭୁବନେଶ୍ୱରରେ ସ୍ଲଟ ବୁକିଂ କରିବାକୁ ଲୋକ ଚାତକ ଭଳି ଚାହିଁ ରହିିଥିଲେ ବି କେଇ ମିନିଟ୍ରେ ସରିଯାଉଛି । ଆଉ ଏହି ଏହି ମ୍ୟାଡମ୍ ଜଣକ ଘରେ ବସି ଟିକା ନେଉଛନ୍ତି । ଶ୍ରୁତିଶିଖାଙ୍କ ପୋଷ୍ଟ ପରେ ଜଣେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି-

-କିଛି ଲୋକ ଘରେ ବସି ଟିକା ନେଉଛନ୍ତି । ନାଁ କେନ୍ଦ୍ରକୁ ଆସୁଛନ୍ତି ନା’ ଲାଇନ୍ରେ ଠିଆ ହେବାକୁ ପଡୁଛି । ଏମିତି କି ମୁହଁରେ ମାସ୍କ ବି ନାହିଁ ।

ବ୍ରହ୍ମପୁର, କଟକ ଓ ରାଉରକେଲା ମହାନଗର ନିଗମରେ ବୟସ୍କ ଲୋକଙ୍କୁ ଘରେ ଯାଇ ଯିବା ଦେବାର ବ୍ୟବସ୍ଥା ଥିଲା । କିନ୍ତୁ ଏହି ସେବାକୁ ବି ସ୍ୱାସ୍ଥ୍ୟ ବିଭାଗ ବନ୍ଦ କରିଦେଇଛି । କିନ୍ତୁ ଫ୍ୟାସନ୍ ଇନ୍ଷ୍ଟ୍ରି ସହ ଜଡ଼ିତ ଥିବା ଶ୍ରୁତି ଶିଖା ନାୟକ ସବୁ ନିୟମକୁ ଖୋଲାଖୋଲି ଉଲଂଘନ କରି, ଲାଇନ୍ରେ ଠିଆ ହେଉଥିବା ଲୋକଙ୍କୁ ଉପହାସ କରିବାକୁ ପଛାଇ ନାହାଁନ୍ତି ।