କନକ ବ୍ୟୁରୋ : ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ମହିଳା ନେତ୍ରୀ ସଂଯୁକ୍ତା ମହଲଙ୍କ ମଧ୍ୟରେ ତେଜିବାରେ ଲାଗିଛି ବିବାଦ । ପୂର୍ବତନ ମନ୍ତ୍ରୀ ଓ ତାଙ୍କ ଝିଅକୁ ହତ୍ୟା କରିବାକୁ ଷଡଯନ୍ତ୍ର ହେଉଥିବା ଅଭିଯୋଗ ପରେ ଜବାବ ରଖିଛନ୍ତି ସଂଯୁକ୍ତା । ଏ ଘଟଣାରେ ଶ୍ରୀକାନ୍ତଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ସଂଯୁକ୍ତା । କହିଛନ୍ତି, ଚକ୍ରାନ୍ତ କରି ତାଙ୍କୁ ଫସାଇବାକୁ ଚାଲିଛି ପ୍ରୟାସ । ବିକାଶ ବେହେରା କିଏ ସେ ଜାଣିନାହାନ୍ତି । ଏବେ ବିକାଶ ନାଁରେ ମିଛ ଆକାଉଂଟ ଖୋଲି ଶ୍ରୀକାନ୍ତ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଥିବା ସଂଯୁକ୍ତା କହିଛନ୍ତି ।

Advertisment

ବିଜେଡି ନେତ୍ରୀ ସଂଯୁକ୍ତା ମହଲ କିଛି ମାସ ତଳେ ଶ୍ରୀକାନ୍ତ ସାହୁଙ୍କ ନାଁରେ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିଥିଲେ । ମହିଳା ଥାନାରୁ ତାଙ୍କୁ ନ୍ୟାୟ ମିଳିନଥିବାରୁ ହାଇକୋର୍ଟରେ ଅପିଲ କରିଛନ୍ତି । ହାଇକୋର୍ଟ ମଧ୍ୟ ଏହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି । ସେପଟେ ପୋଲିସ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଂଯୁକ୍ତା । କହିଛନ୍ତି, ଦୁଇ ମାସ ତଳେ ଯେଉଁ ଏତଲା ଦେଇଥିଲି, ତା’ ଉପରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ଏବେ ଶ୍ରୀକାନ୍ତଙ୍କ ଅଭିଯୋଗ ଆଧାରରେ ସଂଯୁକ୍ତାଙ୍କୁ ଗିରଫ କରିବା ପାଇଁ ଦଫା ଲଗାଯାଇଛି ।

ଗତ ୧୬ ତାରିଖରେ ନିଜେ ଓ ତାଙ୍କ ଝିଅକୁ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ପୋଲସରା ଥାନାରେ ଏତଲା ଦେଇଥିଲେ ଶ୍ରୀକାନ୍ତ । ସଂଯୁକ୍ତା ଓ ବିକାଶ ବେହେରାଙ୍କ ମଧ୍ୟରେ ହୋଇଥିବା ଫେସବୁକ୍ ଚାଟ୍ । ଏଥିରେ ଶ୍ରୀକାନ୍ତ ଓ ତାଙ୍କ ଝିଅକୁ ମାରିବା ପାଇଁ ସଯୁକ୍ତାଙ୍କ ସହାୟତା ଲୋଡ଼ିଛନ୍ତି ବିକାଶ । ଏହି ମେସେଜ୍ ଆଧାରରେ ଥାନାରେ ଏତଲା ଦେଇଛନ୍ତି ଶ୍ରୀକାନ୍ତ । ଏତଲାରେ ଶ୍ରୀକାନ୍ତ ସାହୁ ଲେଖିଛନ୍ତି ଯେ, ସଂଯୁକ୍ତା ଓ ବିକାଶ ବେହେରାଙ୍କ ମଧ୍ୟରେ ହୋଇଥିବା ଚାଟିଂରେ ବିକାଶ ବେହେରା ତାଙ୍କୁ ଜୀବନରୁ ହତ୍ୟା କରିବା ପାଇଁ ସଂଯୁକ୍ତା ମହଲଙ୍କୁ ସାହାଯ୍ୟ ମାଗୁଛନ୍ତି । ଏହାସହିତ ତାଙ୍କ ଝିଅକୁ ମଧ୍ୟ ମାରି ଦେବାକୁ ଚାହୁଁଥିବା ଏତଲାରେ ଲେଖିଛନ୍ତି ଶ୍ରୀକାନ୍ତ ।

ଶ୍ରୀକାନ୍ତ ସାହୁଙ୍କ ଏତଲା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।