କନକ ବ୍ୟୁରୋ: ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ ହୋଇପଡିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ରହିଛି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲର ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ସନ୍ଧ୍ୟାରେ ଜାରି ହୋଇଥିବା ହେଲଥ ବୁଲେଟିନରେ କୁହାଯାଇଛି , ମହେଶ୍ୱରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲେ ବି ସ୍ଥିର ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ମଙ୍ଗଳବାର ସନ୍ଧ୍ୟାରେ ପୁରୀ ବଡଶଙ୍ଖ ଗଜଲକ୍ଷ୍ମୀ ପୂଜାର ସାଂସ୍କୃତିକ କାର୍ଯ୍ୟକ୍ରମରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି ଯୋଗ ଦେଇଥିଲେ । ସେହି ଦିନ ରାତିରେ ସେ ବହୁତ ସକ୍ରିୟ ଥିଲେ । ସମସ୍ତଙ୍କ ସହ କଥାବାର୍ତା ବି କରୁଥିଲେ । କିନ୍ତୁ ଘରକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ ।
ଗୁରୁତର ଅବସ୍ଥାରେ ମହେଶ୍ୱର ମହାନ୍ତି ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ବୁଧବାରଠାରୁ ଆଇସିୟୁରେ ତାଙ୍କର ଚାଲିଛି ଚିକିତ୍ସା । ଏ ନେଇ ସଂପୃକ୍ତ ହସପିଟାଲ ପକ୍ଷରୁ ଏକ ହେଲଥ ବୁଲେଟିନ ଜାରି କରାଯାଇଛି । ଏଥିରେ କୁହାଯାଇଛି, ମହେଶ୍ୱର ମହାନ୍ତିଙ୍କ ଅବସ୍ଥା ଏବେ ଗୁରୁତର ରହିଛି । ପ୍ରଥମେ ତାଙ୍କୁ ସ୍ନାୟୁ ରୋଗ ବିଭାଗରେ ଭର୍ତି କରାଯାଇଥିଲା । ପରେ ଆଇସିୟୁରେ ଭର୍ତି କରାଯାଇଛି । ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ସ୍ୱତନ୍ତ୍ର ନଜର ରଖିଛନ୍ତି । ମହେଶ୍ୱର ମହାନ୍ତିଙ୍କ ପୁଅ କହିଛନ୍ତି, ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି । ଲୋକଙ୍କ ଭଲ ପାଇବା ରହିଛି । ବାପାଙ୍କ ଦେହ ଭଲ ହୋଇଯିବ ।
ମହେଶ୍ୱର ମହାନ୍ତି ହେଉଛନ୍ତି ପୁରୀର ବେଶ ଲୋକପ୍ରିୟ ଓ ଅପ୍ରତିଦ୍ୱନ୍ଦୀ ନେତା । ପୁରୀ ବିଧାନସଭା ଆସନରୁ ସେ ୫-୫ ଥର ବିଧାୟକ ହୋଇଛନ୍ତି । ଏବେ ସେ ପୁରୀ ଜିଲ୍ଲା ବିଜେଡିର ସଭାପତି ଅଛନ୍ତି । ଅସୁସ୍ଥ ଥିବା ଖବର ମିଳିବା ପରେ ମହେଶ୍ୱର ମହାନ୍ତିଙ୍କୁ ଦେଖିବା ପାଇଁ ହସପିଟାଲରେ ପଂହଚିଥିଲେ ବିଜେଡି ନେତା । ଖୁବଶୀଘ୍ର ମହେଶ୍ୱର ସୁସ୍ଥ ହୋଇଯିବେ ବୋଲି ସମସ୍ତେ ଆଶା ପ୍ରକାଶ କରିଛନ୍ତି । ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ମେଡିକାଲର ଡାକ୍ତରୀ ଟିମ ନଜର ରଖିଛନ୍ତି । ତାଙ୍କୁ ଦେଖିବାକୁ ପଂହଚୁଛନ୍ତି ନେତା ଓ ସମର୍ଥକ ।