କନକ ବ୍ୟୁରୋ : ଦୀର୍ଘ ୧୭ ବର୍ଷ ପରେ ଜେଲରୁ ମୁକୁଳିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ବାହୁବଳୀ ନେତା ଅମରମଣୀ ତ୍ରିପାଠୀ ଓ ତାଙ୍କ ପତ୍ନୀ । ୨୦୦୩ ମସିହାରେ କବୟତ୍ରୀ ମଧୁମିତା ଶୁକ୍ଳାଙ୍କ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଅମରମଣୀ ଓ ତାଙ୍କ ପତ୍ନୀ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ଏନେଇ ଉତ୍ତର ପ୍ରଦେଶ ସରକାର ତାଙ୍କ ଆଦେଶରେ କହିଛନ୍ତି କି ଅମରମଣୀ ଓ ତାଙ୍କ ପତ୍ନୀ ୨୦୦୭ ମସିହାରୁ ଆଜୀବନ କାରାଦଣ୍ଡରେ ସଜା କାଟୁଛନ୍ତି । ମାତ୍ର ଜେଲରେ ସେମାନଙ୍କ ଆଚରଣ ଭଲ ଥିବାରୁ ଉଭୟକୁ ଜେଲରୁ ମୁକ୍ତ କରାଯିବ ।

Advertisment

ଉତ୍ତର ପ୍ରଦେଶର ତତ୍କାଳୀନ ମାୟାବତୀଙ୍କ ସରକାରରେ ମନ୍ତ୍ରୀଥିବା ଅମରମଣୀ ତ୍ରିପାଠୀ ବହୁଜନ ସମାଜବାଦୀ ପାର୍ଟିର ଜଣେ ବରିଷ୍ଠ ନେତାସହ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀଥିଲେ । ସେପଟେ ପ୍ରସିଦ୍ଧ କବୟତ୍ରୀ ମଧୁମିତା ଶୁକ୍ଳାଙ୍କୁ ୨୦୦୩ ମସିହା ମେ’ ମାସରେ ହତ୍ୟା କରାଯାଇଥିଲା । ମଧୁମିତାଙ୍କ ଶବ ଲକ୍ଷ୍ନୌର ନିଶାତଗଞ୍ଜ ଅଞ୍ଚଳରୁ ମଧୁମିତାଙ୍କ ବାସଭବନରୁ ଉଦ୍ଧାର ହୋଇଥିଲା । ସେତେବେଳେ ମଧୁମିତାଙ୍କୁ ୨୪ ବର୍ଷ ହୋଇଥିôବା ବେଳେ ସେ କଥିତ ଭାବେ ଅମରମଣୀଙ୍କ ପ୍ରେମିକା ଥିଲେ ।

ଯେଉଁ ସମୟରେ ମଧୁମିତାଙ୍କର ହତ୍ୟା ହୋଇଥିଲା ସେତେବେଳେ ସେ ଗର୍ଭବତୀ ଥିଲେ । ସେ ତାଙ୍କ ପିଲାର ବାପା ଅମରମଣୀ ବୋଲି କହିଥିଲେ । ହେଲେ ସେତେବେଳେ ଅମରମଣୀଙ୍କ ଉତ୍ତର ପ୍ରଦେଶରେ ଏବେ କଡା ପ୍ରଭାବ ଥିଲା କି ମଧୁମିତାଙ୍କ ଅଭିଯୋଗକୁ ପୋଲିସ ମଧ୍ୟ ଗ୍ରହଣ କରିନଥିଲା । ଏହାପରେ ହଠାତ ମଧୁମିତାଙ୍କର ହତ୍ୟା ହୋଇଥିଲା । ଏହି ମାମଲାର ଯାଂଚ ସିବିଆଇ କରୁଥିଲା । ଏହାପରେ କୋର୍ଟ ମଧୁମିତା ଶୁକ୍ଳାଙ୍କ ହତ୍ୟା ମାମଲାରେ ଅମରମଣୀ ତ୍ରିପାଠୀ ଓ ତାଙ୍କ ପତ୍ନୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।