ପୂର୍ବତନ ମନ୍ତ୍ରୀ ଅଂଜଳୀ ବେହେରା ହେଲେ ସମିତି ସଭ୍ୟ ପ୍ରାର୍ଥୀ । ସେପଟେ ଅସ୍ତରଙ୍ଗରେ ପ୍ରାର୍ଥୀ ହେଲେ ପୂର୍ବତନ ମନ୍ତ୍ରୀଙ୍କ ପୁଅ-ବୋହୂ ।
କନକ ବ୍ୟୁରୋ: ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଗତକାଲି ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷଦିନ । ଆଉ ଶେଷ ମୁହୂର୍ତରେ ନାମାଙ୍କନପତ୍ର ଦାଖଲ କରିବାକୁ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ଭିଡ ଦେଖିବାକୁ ମିଳିଥିଲା । ବିଭିନ୍ନ ରାଜନୈତିକ ଦଳର ସମର୍ଥିତ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ଅସନ୍ତୁଷ୍ଟ ପ୍ରାର୍ଥୀ ବି ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହାରି ଭିତରେ ଗାଁ ଗାଁରେ କିଛି ପାଠୁଆ ପ୍ରାର୍ଥୀ ଓ ପୂର୍ବତନ ମନ୍ତ୍ରୀଙ୍କ ପୁଅବୋହୂ ଓ ବିଧାୟକଙ୍କ ପତ୍ନୀ ପଂଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।..
ପଂଚାୟତ ନିର୍ବାଚନ ମଇଦାନରେ ପୂର୍ବତନ ମନ୍ତ୍ରୀଙ୍କ ପୁଅ, ବୋହୂ । ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ ଏବେ ରାଜନୀତିରୁ ସନ୍ୟାସ ନେଇ ଯାଇଛନ୍ତି । ହେଲେ ତାଙ୍କ ପୁଅ ସ୍ୱାଧୀନ କୁମାର ନାୟକ ପୁରୀ ଜିଲ୍ଲା ପରିଷଦ ଜୋନ ୮ରୁ ବିଜେଡି ଦଳ ସମର୍ଥନରେ ପ୍ରାର୍ଥୀ ପତ୍ର ହୋଇଥିବା ବେଳେ ବୋହୂ ନିବେଦିତା ନାୟକ ଅସ୍ତରଙ୍ଗ ବ୍ଲକ ଅଳଙ୍ଗପୁର ପଂଚାତୟରୁ ସମିତି ସଭ୍ୟ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।
ସମିତି ସଭ୍ୟ ପ୍ରାର୍ଥୀ ପାଇଁ ନାମଙ୍କନ ଦଖଲ କଲେ ବିଧାୟକଙ୍କ ପତ୍ନି । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପତ୍ନି ଶୁଭ୍ରାନ୍ତି ସାମନ୍ତରାୟ, କଣାସ ବ୍ଲକ ଦୋଛିଆ ପଂଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚନ ଲଢିବେ । ଏହାକୁ ନେଇ ଏବେ କଣାସ ରାଜନୀତି ବେଶ ସରଗରମ ହୋଇଛି ।
ତିନି ଥରର ବିଧାୟକ, ଦୁଇ ଥର ମନ୍ତ୍ରୀ ରହିସାରିଛନ୍ତି ଅଂଜଳି ବେହେରା । ବିଜେଡିରୁ ନିଲମ୍ବିତ ହୋଇ ବିଜେପିରେ ମିଶିବା ପରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକର ଗିରିଧରପ୍ରସାଦ ପଂଚାୟତର ସମିତି ସଭ୍ୟ ପଦ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଗଣମାଧ୍ୟମ ଠାରୁ ଦୂରେଇ ରହୁଥିବା ଏହି ନେତ୍ରୀ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ।
୩୦ ବର୍ଷ ଧରି ସାମରିକ କର୍ମଚାରୀ ଭାବେ କାର୍ଯ୍ୟ କରିଥିବା ସୁବେଦାର ମେଜର ଅଶୋକ କୁମାର ଜେନା ପଂଚାୟତରେ ପ୍ରାର୍ଥୀ ହୋଇଛନ୍ତି । ଚାକିରିରୁ ଅବସର ନେବା ପରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ପାଟଲଦ ପଂଚାୟତରୁ ସରପଂଚ ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି । କାରର୍ଗିଲ ଯୁଦ୍ଧ ସାଙ୍ଗକୁ ବାଲେଶ୍ୱର କ୍ଷେପଣାସ୍ତ୍ର ଘାଟିରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଆଗରୁ ଦେଶକୁ ଶତ୍ରୁ କବଳରୁ ରକ୍ଷା କରୁଥିଲେ ଏବେ ପଂଚାୟତକୁ ଦୁର୍ନୀତି କବଳରୁ ରୋକିବାକୁ ପଣ କରିଛନ୍ତି ।
ଚଳିତ ପଂଚାୟତ ପଲିଟିକ୍ସରେ ଅଂଶଗ୍ରହଣ କରିଥିବା ପାଠୁଆ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି, ବଲାଙ୍ଗୀର ଖପ୍ରାଖୋଲ ଝାକ୍ରିପାଲି ଗାଁର ସୁଭଦ୍ରା ସୁନା । ଏମ-କମ୍ ପାଠ ପଢିଥିବା ସୁଭଦ୍ରା ଚାରିକି ପଛରେ ନପଡି ପଂଚାୟତ ପ୍ରତିନିଧି ଭାବେ ବହୁଜନ ସମାଜ ପାର୍ଟିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି । ସେହିପରି ବଲାଙ୍ଗୀର ଜୋନ୍ ୨୬ରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଆଉ ଜଣେ ଶିକ୍ଷିତ ଯୁବତୀ ଦେବକୀ ତାଣ୍ଡି । ଏମବିଏ ପାଠ ଛାଡି ବହୁଜନ ସମାଜ ପାର୍ଟିରୁ ପ୍ରାର୍ଥୀ ହୋଇଛନ୍ତି । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀଙ୍କ ଅପେକ୍ଷା ଏହି ଦୁଇ ଉଚ୍ଚ ଶିକ୍ଷିତ ପ୍ରାର୍ଥୀଙ୍କୁ ନେଇ ଏବେ ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚା ବଢିବାରେ ଲାଗିଛି । ପାଠୁଆଙ୍କ ପଂଚାୟତ ଲଢେଇରେ ସାମିଲ ହୋଇଛନ୍ତି ସମ୍ବଲପୁରର ଉଚ୍ଚ ଶିକ୍ଷିତା ମହିଳା ସୁଜାତା ଖୁଂଟିଆ । ଜମନକିରା ଜୋନ୍ -୧ରୁ ବିଜେଡି ଟିକେଟରେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ସୁଜାତା ।