କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପାଇଁ ତିନି ଦିନର ଭୋଟ୍ ଗଣତି ଶେଷ ହୋଇଛି । ଅଧିକାଂଶ ସ୍ଥାନରେ ଫଳାଫଳା ଧିରେଧିରେ ସ୍ପଷ୍ଟ ହୋଇସାରିଥିବାବେଳେ କେଉଁଠାରେ କିଏ ବାଜି ମାରିଲେ ତାହା ମଧ୍ୟ ଜଣାପଡୁଛି । ତେବେ ଗାଁ ରାଜନୀତିର ଚର୍ଚ୍ଚିତ ଚେହେରାଙ୍କ ଭିତରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ।

Advertisment

ହିନ୍ଦୋଳରୁ ବିଧାନସଭାକୁ ନିର୍ବାଚିତ ହୋଇ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ହୋଇଥିଲେ ଅଞ୍ଜଳି ବେହେରା । ହେଲେ ବିଜେପି ଶିବିରକୁ ଯିବା ପରେ ସେ ଚଳିତ ପଂଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ହିନ୍ଦୋଳ ବ୍ଲକର ଗିରିଧାରି ପ୍ରସାଦ ପଂଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ ବି ପରାଜିତ ହୋଇଛନ୍ତି ଅଞ୍ଜଳି । କୁହାଯାଉଛି ସମିତି ସଭ୍ୟା ଭାବେ ଜିତି ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ଆଶାୟୀ ଥିଲେ ଅଞ୍ଜଳି ବେହେରା । ହେଲେ ସେହି ସ୍ୱପ୍ନ ଧୁଳିସାତ ହୋଇଯାଇଛି ।

ନିର୍ବାଚନ ପୂର୍ବରୁ ଅଞ୍ଜଳି କହିଥିଲେ ଯେ, ଲୋକଙ୍କ ସେବା କରିବାକୁ ସେ ୨୦୨୪ ଯାଏଁ ଅପେକ୍ଷା କରିପାରିବେ ନାହିଁ । ତେଣୁ ପଂଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ନିଜ ନିର୍ବାଚନୀ କ୍ଷେତ୍ରର ଲୋକଙ୍କ ସେବା କରିବାକୁ ଯୋଜନା କରିଥିଲେ ପୂର୍ବତନ ମନ୍ତ୍ରୀ ।