ଆତ୍ମସମର୍ପଣ କରି ମିଳିଛି ଆତ୍ମସମ୍ମାନ…ବନ୍ଧୁକ ଛାଡି ବିକୁଛନ୍ତି ଚା’ ଆଉ ପକୁଡି…ନକ୍ସଲ ସଂଗଠନକୁ ବାଏ ବାଏ କରି ଅନ୍ୟଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ମାଓ କମାଣ୍ଡର ଭୀମା ମାଢି

673

କନକ ବ୍ୟୁରୋ: ଏକଦା ବନ୍ଧୁକ ମୁନରେ ଶାସନ କରି ଆତଙ୍କ ସୃଷ୍ଟି କରୁଥିବା ମାଲକାନଗିରି ଜିଲ୍ଲା ପଡିଆ ବ୍ଲକର ମାଓ କମାଣ୍ଡର ଭୀମା ମାଢି ଓରଫ ଋଷି ଏବେ ବନ୍ଧୁକ ଛାଡି ବିକୁଛନ୍ତି ଚା’ା ନକ୍ସଲ ସଂଗଠନକୁ ବାଏ ବାଏ କହି ନିଜର ନୂଆ ଜୀବନ ଆରମ୍ଭ କରିଥିବା ଭୀମା ଏବେ ଅନ୍ୟ ନକ୍ସଲଙ୍କ ପାଇଁ ପାଲଟିଛନ୍ତି ଆଦର୍ଶ ।

୨୦୧୪, ସେପ୍ଟମ୍ବର ୧୪ ତାରିଖରେ ମାଲକାନଗିରିର ତତକାଳୀନ ଏସପି ଅଖିଳେଶ ସିଂଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ଭୀମା କିନ୍ତୁ ୨୦୦୭ରେ ମାଓ କମାଣ୍ଡର ସୁକଦେବଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ମାଓ ସଂଗଠନରେ ଯୋଗ ଦେଇ ଏବଂ ମାଓ ସଂଗଠନରେ ନିଜର ଆଧିପତ୍ୟ ବିସ୍ତାର କରି ଭୀମା ପୁଲିସ ପାଇଁ ମୁଣ୍ଡବ୍ୟଥାରେ କାରଣ ପାଲଟିଯାଇଥିଲେ । ତେବେ ଭୀମାଙ୍କ ନାଁରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଥିବା ଯୋଗୁଁ ସରକାର ତାଙ୍କ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ବି ଘୋଷଣା କରିଥିଲେ । ମାତ୍ର ୨୦୧୩ରେ ସିଲାକୋଟା ଏନକାଉଂଟରରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟବଶତଃ ବଂଚି ଯାଇଥିଲେ ଭୀମା । ଆଉ ଏହି ଗୋଟିଏ ଘଟଣା ହିଁ ଭୀମାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା ।

ନକ୍ସଲ ସଂଗଠନ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସେ ପ୍ରଥମେ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ରହିଥିଲେ ଏବଂ ସେହି ବର୍ଷ ଗଣନାଟ୍ୟ ସଂଘର ସଦସ୍ୟା ନାଙ୍ଗି ମାଢି ବି ପୁଲିସ ପାଖରେ ଆତ୍ମ ସମର୍ପଣ କରିଥିଲେ । ଦୁଇ ନକ୍ସଲ ଆତ୍ମସମର୍ପଣ କରି ଜିଲ୍ଲା ପୁଲିସ୍ ଅଫିସରେ ରହିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିବା ସହ ପୁଲିସ ଉଭୟଙ୍କୁ ବିବାହ ବନ୍ଧନରେ ବାନ୍ଧିଥିଲା । ଏବେ ଦୁହିଁଙ୍କର ୨ଟି ସନ୍ତାନ ରହିଛନ୍ତି । ଆଉ ସରକାରଙ୍କ ପକ୍ଷରୁ ମିଳିଥିବା ରାଶିରେ ନିଜର ଖଣ୍ଡେ ଘର କରି ବହୁ ହସ ଖୁସିରେ ଚଳୁଛନ୍ତି ।

ଯେଉଁ ହାତରେ ବନ୍ଧୁକ ଧରୁଥିଲେ ଏବେ ସେହି ହାତରେ ଚା ବିକ୍ରି କରି ଆତ୍ମସନ୍ତୋଷ ପାଉଥିବା କହିଛନ୍ତି ଭୀମା । ଏପରିକି ପୁଅ ଝିଅଙ୍କୁ ଭଲ ମଣିଷ କରିବା ପାଇଁ ଚେଷ୍ଟା କରୁଥିବା କହିବା ସହ ପିଲାଙ୍କୁ ଶିକ୍ଷକ କିମ୍ବା ପୁଲିସ ଅଫିସର ବନାଇବାକୁ ଆଶା ବାନ୍ଧିଛନ୍ତି । କେବଳ ଏତିକି ନୁହେଁ ବରଂ ନକ୍ସଲ ଭାଇମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ବି ପରାମର୍ଶ ଦେଇଛନ୍ତି ଭୀମା ।