ବଟି ଆଦାୟ ଘଟଣାରେ ଗିରଫ ହେଲେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ: ଗିରଫ କଲା ପ୍ରବର୍ତନ ନିର୍ଦ୍ଦେଶାଳୟ 

81

କନକ ବ୍ୟୁରୋ: ବନ୍ଧା ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଶହେ କୋଟିର ବଟି ଆଦାୟ ମାମଲାରେ ଅନୀଲ ଦେଶମୁଖଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ସୋମବାର ଦୀର୍ଘ ୧୨ ଘଂଟାର ଜେରା ପରେ ଗିରଫ କରାଯାଇଥିଲା । ମଙ୍ଗଳବାର ତାଙ୍କୁ କୋର୍ଟରେ ହାଜର କରାଯାଇଛି ।

ଶହେ କୋଟିର ବଟି ଆଦାୟ ଘଟଣାକୁ ନେଇ ଗିରଫ ହୋଇଛନ୍ତି ଅନୀଲ ଦେଶମୁଖ । ୧୨ ଘଂଟାଧରି ପଚରା ଉଚୁରା ପରେ ପ୍ରବର୍ତନ ନିର୍ଦ୍ଦେଶାଳୟ ସୋମବାର ବିଳମ୍ବିତ ରାତିରେ ଅନୀଲ ଦେଶମୁଖଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ମନି ଲଣ୍ଡରିଂର ଅଭିଯୋଗ ହୋଇଥିଲା । ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଅନୀଲ ଦେଶମୁଖ ତଦନ୍ତରେ ସହଯୋଗ କରୁ ନଥିଲେ । ବାରମ୍ବାର ତାଙ୍କୁ ଇଡି ପକ୍ଷରୁ ସମନ୍ ଜାରି କରାଯାଉଥିଲେ ସୁଦ୍ଧା ସେ ଇଡି କାର୍ଯ୍ୟାଳୟରେ ହାଜର ହେଉ ନଥିଲେ । ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇଛି ।

ବଟି ଆଦାୟ ମାମଲାରେ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ୍ୟ ହୋଇଥିଲେ ଦେଶମୁଖ । ମାତ୍ର ସେଠାରେ ତାଙ୍କୁ ନିରାଶ ହେବାକୁ ପଡିଥିଲା । ଆଉ ଇଡି କାର୍ଯ୍ୟାଳୟରେ ପଚରା ଉଚୁରା ପାଇଁ ହାଜର ହୋଇଥିଲେ ଦେଶମୁଖ । ଆଉ ତାଙ୍କୁ ଗିରଫ କରିଥିଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ତେବେ କଣ ଏହି ବଟି ଆଦାୟ ଘଟଣା, କେବେ ଆସିଥିଲା ସାମ୍ନାକୁ ଆସନ୍ତୁ ନଜର ପକାଇବା ପୂରା ଟାଇମ୍ ଲାଇନ୍ ଉପରେ ।

ମହାରାଷ୍ଟ୍ର ବଟି ଆଦାୟ ମାମଲା:

– ୨୫ ଫେବୃଆରୀ, ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ଆଂଟିଲିଆ ବାହାରେ ବିସ୍ଫୋଟକ ପୂର୍ଣ୍ଣ ଗାଡି ସହ ଧମକ ଭରା ଚିଠିକୁ ଧରିଲା ପୋଲିସ

– ଘଟଣାକୁ ନେଇ ତଦନ୍ତ ଆରମ୍ଭ କଲା ଜାତୀୟ ତଦନ୍ତକାରୀ ସଂସ୍ଥା 

– ପ୍ରଥମେ ଘଟଣାରେ ମୁମ୍ବାଇ ପୋଲିସ କ୍ରାଇମ୍ ଇନଭେଷ୍ଟିଗେସନ୍ର ମୁଖ୍ୟ ସଚିନ ୱଜେଙ୍କ ସମ୍ପୃକ୍ତି ଥିବା ଜଣାପଡିଲା 

– ସେତେବେଳେ ମୁମ୍ବାଇର ପୋଲିସ କମିଶନର ପରମବିର ସିଂହଙ୍କୁ ବଦଳି କରି ହୋମଗାର୍ଡ ଡିଜିର ଦାୟିତ୍ୱ ଦିଆଗଲା 

– ଏହାପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପାଖକୁ ଲେଖିଥିବା ପରମବୀର ସିଂହଙ୍କ ଏକ ଚିଠି ସାମ୍ନାକୁ ଆସିଲା 

– ଚିଠିରେ ପରମବୀର ସିଂହ, ଅଭିଯୋଗ କରିଥିଲେ କି, ଗୃହମନ୍ତ୍ରୀ ଅନୀଲ ଦେଶମୁଖ ସଚିନ ୱାଜେଙ୍କୁ ପ୍ରତିମାସ ୧୦୦ କୋଟି ବଟି ଆଦାୟ କରିବାକୁ କହିଥିଲେ 

– ପରମବୀର ସିଂହଙ୍କ ଅଭିଯୋଗ ପରେ ମାମଲାର ତଦନ୍ତ ଭାର ସିବିଆଇକୁ ଦେଲେ ବମ୍ବେ ହାଇକୋର୍ଟ

– ପରେ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଥିଲେ

ସେପଟେ ଏହି ମାମଲାରେ ମୁମ୍ବାଇ ପୋଲିସର ପୂବର୍ତନ କମିଶନର ପରମବୀର ସିଂହ ଫେରାର ଅଛନ୍ତି । ତାଙ୍କ ବିରୋଧରେ ଜାମିନ ବିହିନ ଗିରଫଦାରି ଜାରି ହୋଇଛି ।