କନକ ବ୍ୟୁରୋ: କଂଗ୍ରେସକୁ ଲାଗିପାରେ ବଡ ଝଟକା । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଳନାଥ ହାତ ଛାଡ଼ି ପଦ୍ମ ଧରିବା ନେଇ ଚର୍ଚ୍ଚା ବଢ଼ିଛି । କମଲନାଥ ଓ ତାଙ୍କ ପୁଅ ତଥା ସାଂସଦ ନକୁଲନାଥ ଶନିବାରଠାରୁ ଦିଲ୍ଲୀରେ ପହଞ୍ଚିବା ପରେ ଉଭୟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି ।

୨ଦିନ ପୂର୍ବରୁ କମଲଙ୍କ ପୁଅ ତଥା ସାଂସଦ ନକୁଲନାଥ ସୋସିଆଲ ମିଡିଆ ଆକାଉଁଟରୁ କଂଗ୍ରେସର ନାଁ ଓ ଲୋଗୋ ହଟାଇଥିଲେ । ଏହାପରେ କମଲ ଓ ନକୁଲ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଅନ୍ୟପଟେ ବିଜେପି ନେତା ସାଲୁଜା ନିକଟରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ କମଲନାଥ ଓ ନକୁଲନାଥ ଏକାଠି ଛିଡା ହୋଇଥିବା ଫଟୋକୁ ପୋଷ୍ଟ କରି ଲେଖିଥିଲେ ଜୟଶ୍ରୀରାମ । କଂଗ୍ରେସର ଜଣେ ତୁଙ୍ଗ ନେତାଭାବେ କମଲନାଥଙ୍କ ବହୁ ଦବଦବା ରହିଛି । ୧୯୮୦ରୁ ୨୦୧୪ ସାଂସଦ ରହିଥିଲେ । ୨୦୧୮ରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ବିଜେପିର ଚାଲରେ ତାଙ୍କ ସରକାର ଭାଙ୍ଗିଥିଲା । ସେପଟେ ନକୁଲନାଥ ୨୦୧୯ରେ ପ୍ରଥମର ଥର ପାଇଁ ସାଂସଦ ହୋଇଛନ୍ତି । ମଧ୍ୟପ୍ରଦେଶରେ ମୋଟ ୨୯ ଲୋକସଭା ଆସନ ମଧ୍ୟରୁ ସବୁ ଆସନରେ ବିଜେପି ଜିତିଥିବାବେଳେ କମଳନାଥଙ୍କ ନିଜ ଆସନ ଛିନ୍ଦୱାଡାରେ ହିଁ କଂଗ୍ରେସ ଜିତିଥିଲା ।