କେନ୍ଦୁଝର ଘଷିପୁରାରେ ନିର୍ବାଚନୀ ହତ୍ୟା: ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କୁ ଘରୁ ଡାକି ନେଇ ହତ୍ୟା, ପ୍ରତ୍ୟକ୍ଷଦର୍ଶୀ ଝିଅ କହିଲେ, ହତ୍ୟାକାଣ୍ଡ ପଛରେ ରହିଛି କାହାର ହାତ

961

କନକ ବ୍ୟୁରୋ: କେନ୍ଦୁଝର ଘଷିପୁରାରେ ନିର୍ବାଚନୀ ହିଂସାକାଣ୍ଡ । ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ କିଛି ଦୁବୃର୍ତ୍ତ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରଥମେ କିଛି ଦୁବୃର୍ତ୍ତ ଘରକୁ ଆସିଥିଲେ । ରାମଚନ୍ଦ୍ରଙ୍କୁ ଘରୁ ଡାକିନେଇଥିଲେ । ହାତ ଗୋଡ ସହିତ ଶରୀର ବିଭିନ୍ନ ଅଂଶକୁ ହାଣିଦେଇଥିଲେ ଦୁବୃର୍ତ୍ତ । ତେବେ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଷିପୁରା ଥାନା ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ୩ ଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ରାମଚନ୍ଦ୍ର ୨୦୧୪ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ରାମଚନ୍ଦ୍ର ୧୫, ୮୪୯ ଖଣ୍ଡ ଭୋଟ୍ ପାଇଁ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲେ ।

ସୂଚନା ଅନୁସାରେ ଆଜି ବିଜେଡିରେ ସାମିଲ ହୋଇଥାନ୍ତେ ହତ୍ୟାକାଣ୍ଡର ଶିକାର ହୋଇଥିବା ରାମଚନ୍ଦ୍ର ବେହେରା । ଏନେଇ ସମସ୍ତ କଥାବାର୍ତା ସରିଥିବାବେଳେ ମନ୍ତ୍ରୀ ବଦ୍ରୀପାତ୍ରଙ୍କ ଉପସ୍ଥିତିରେ ଆଜି ବିଜେଡିରେ ବିଧିବଦ୍ଧ ସାମିଲ ହୋଇ ଥାନ୍ତେ । କୁହାଯାଉଛି ବିଜେଡିରେ ରାମଚନ୍ଦ୍ର ସାମିଲ ହେବାକୁ ସହଜରେ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ ଆଉ ଏକ ଗୋଷ୍ଠି ।

ଯାହାକୁ ନେଇ ଗତ କିଛି ଦିନ ଧରି ଛକାପଞ୍ଜା ଲାଗି ରହିଥିବା ଅନୁମାନ କରାଯାଉଛି । ହତ୍ୟାକାଣ୍ଡର ଶିକାର ହୋଇଥିବା ରାମଚନ୍ଦ୍ରଙ୍କ ଝିଅ ନିଜର ପ୍ରତିକ୍ରିୟାରେ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତିବିଶେଷଙ୍କର ନାଁ ମଧ୍ୟ ନେଉଛନ୍ତି । ଯେଉଁମାନେ ହେଉଛନ୍ତି କେନ୍ଦୁଝର ରାଜନୀତିରେ ବିଜେଡିରେ ଏକ ଗୋଷ୍ଠି । ରାମଚନ୍ଦ୍ର ବିଜେଡିରେ ସାମିଲ ହେବା ପରେ କାଳେ ଏମାନଙ୍କର ପତିଆରା ଓ ପ୍ରଭାବ କମିବ ତାକୁ ଆଖି ଆଗରେ ରଖି ଏହି ସୁସଂଗଠିତ ହତ୍ୟାକାଣ୍ଡ ଭିଆ ଯାଇଥିବା ଅନୁମାନ କରାଯାଉଛି ।