କନକ ବ୍ୟୁରୋ : ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଆଜି ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି । ଏହି ସଫଳ ମିଶନ ପାଇଁ ସମସ୍ତ ଆବଶ୍ୟକ ପାରାମିଟର ପୂରଣ ହୋଇଥିବାରୁ ଇସ୍ରୋର ମିଶନ ପ୍ରସ୍ତୁତି ସମୀକ୍ଷା କମିଟି ଉତକ୍ଷେପଣ ପାଇଁ ମଞ୍ଜୁରୀ ଦେଇଛି ।

Advertisment

କମିଟିର ଅନୁମୋଦନ ପରେ ଲଂଚ ପ୍ରାଧିକରଣର ବୋର୍ଡ ମଧ୍ୟ ଚନ୍ଦ୍ରଯାନ-୩ ମିଶନ ଆରମ୍ଭ କରିବାକୁ ଅନୁମତି ଦେଇଛି । ୨୦୧୯ ସେପ୍ଟେ୍ମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା । ସବୁକିଛି ଠିକ୍ ଚାଲିଥିବା ବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବାକୁ ମାତ୍ର ୪୦୦ ମିଟର ଥିବା ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବେଗ ନିୟନ୍ତ୍ରଣ ହୋଇ ପାରିନଥିଲା । ଗତିପଥରେ ପରିବର୍ତନ ଓ ଦ୍ରୁତ ଗତି ଯୋଗୁଁ କ୍ରାସ ଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର । ଏହା ସହ ଭାରତର ଚନ୍ଦ୍ର ବିଜୟ ସ୍ୱପ୍ନ ମଧ୍ୟ ଚୁରମାର ହୋଇ ଯାଇଥିଲା । କିନ୍ତୁ ଭାରତ ପଛକୁ ନହଟି ଆରମ୍ଭ କରିଥିଲା ମିସନ ଚନ୍ଦ୍ରଯାନ-୩ । ଆଉ ଯଦି ଏଥର ଯଦି ଚନ୍ଦ୍ର ଅଭିଯାନ ସଫଳ ହେବ, ତାହେଲେ ଇତିହାସ ରଚିବ ଭାରତ ।

ଏଲଭିଏମ୍-୩ ଉପରେ ଏବେ ରହିଛି ସମସ୍ତଙ୍କ ନଜର । ୪୩ ଦଶମିକ ୫ ମିଟର ଏଲଭିଏମ୍-୩ ଲଂଚ ରକେଟ୍ ଚନ୍ଦ୍ରଯାନକୁ ପ୍ରଥମେ ଏକ ଅର୍ଦ୍ଧାବୃତାକାର ପୃଥ୍ୱିବୀ କକ୍ଷପଥକୁ ପଠାଇବ । ଏହା ପରେ ଚନ୍ଦ୍ରଯାନ ତାର ଗତିପଥରେ ଅଗ୍ରସର ହୋଇ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ନିର୍ଦ୍ଧାରିତ ସ୍ଥାନରେ ଅବତରଣ କରିବା ଆଶା କରାଯାଉଛି ।

‘ବାହୁବଳୀ’ ରକେଟ୍ ଏଲଭିଏମ୍

- ଏଲଭିଏମ୍-୩ ହେଉଛି ଏକ ହେଭି ଲିଫ୍ଟ ଲଞ୍ଚ ଭେହିକିଲ
- ଯାହା ମହାକାଶକୁ ଏକ ପେଲୋଡ୍ ପଠାଇବାର କ୍ଷମତା ପାଇଁ ପ୍ରସିଦ୍ଧ
- ଏହା ଇସ୍ରୋ ଦ୍ୱାରା ବିକଶିତ ସବୁଠାରୁ ଶକ୍ତିଶାଳୀ ରକେଟ୍
- ଏହି ଶ୍ରେଣୀର ରକେଟ୍ ଭିତରେ ଏହା ହେଉଛି ଅଦ୍ୱିତୀୟ
- ରକେଟ୍ ଗୁଡିକ ଭିତରେ ଏହା ‘ବାହୁବଳୀ’ ଭାବେ ଜଣାଶୁଣା
- ଏଲଭିଏମ୍-୩ ହେଉଛି ଏକ ତିନି ପର୍ଯ୍ୟାୟ ରକେଟ୍
- ଦୁଇଟି କଠିନ ଇନ୍ଧନ ବୁଷ୍ଟର ଓ ଏକ ତରଳ ଇନ୍ଧନ କୋରଷ୍ଟେଜ୍ରେ ସଜ୍ଜିତ
- କଠିନ ଇନ୍ଧନ ବୁଷ୍ଟର ଗୁଡିକ ପ୍ରାରମ୍ଭିକ ଥ୍ରଷ୍ଟ ପ୍ରଦାନ କରିଥାଏ
- ତରଳ ଇନ୍ଧନ କୋର ଷ୍ଟେଜ୍ ରକେଟ୍କୁ କକ୍ଷପଥରେ ପ୍ରବେଶ ପାଇଁ ଶକ୍ତି ଦେଇଥାଏ