ନିଶାସକ୍ତ ଅବସ୍ଥାରେ ପଡୋଶୀଙ୍କ ସହ ମାରପିଟ କଲେ ପୂର୍ବ ଭାରତୀୟ କ୍ରିକେଟର ପ୍ରବୀଣ କୁମାର । ମୁହଁରେ ଲାଗିଲା ଗଭୀର ଆଘାତ, ଭାଙ୍ଗିଗଲା ପଡୋଶୀଙ୍କ ହାତ ଆଙ୍ଗୁଠି ।

471

ପୂର୍ବ ଭାରତୀୟ କ୍ରିକେଟର ପ୍ରବୀଣ କୁମାରଙ୍କ ନାଁରେ ସାଂଘାତିକ ଅଭିଯୋଗ । ପଡୋଶୀଙ୍କୁ ମାଡ ମାରି ଆହତ କରିଥିବା ନେଇ ଥାନାରେ ପ୍ରବୀଣଙ୍କ ନାଁରେ ଅଭିଯୋଗ ହୋଇଛି । ଉତ୍ତର ପ୍ରଦେଶର ମେରଟ ବାସିନ୍ଦା ଦୀପକ ଶର୍ମାଙ୍କ ଅଭିଯୋଗ ଅନୁଯାୟୀ, ପ୍ରବୀଣ ଗାଳିଗୁଲଜ କରିବା ସହ ରାସ୍ତା ଉପରେ ତାଙ୍କୁ ମାଡ ମାରିଛନ୍ତି ।

ଅଭିଯୋଗ ଅନୁଯାୟୀ, ଦୀପକ ଶର୍ମା ନିଜ ପୁଅକୁ ସ୍କୁଲ ବସରୁ ଆଣିବାକୁ ଯାଇଥିବା ବେଳେ ସେଠାରେ ପ୍ରବୀଣଙ୍କ ଗାଡି ମଧ୍ୟ ପହଞ୍ଚିଥିଲା । ତେବେ କିଛି ସମୟ ମଧ୍ୟରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ତେବେ ଗାଳିଗୁଲଜ ପର୍ଯ୍ୟନ୍ତ କଥା ଠିକ୍ ଥିଲା କିନ୍ତୁ ଯେତେବେଳେ ପ୍ରବୀଣ ତାଙ୍କ କୁନି ପୁଅକୁ ମଧ୍ୟ ଧକ୍କା ମାରିଲେ ସେତେବେଳେ ସହିବାର ସବୁ ସୀମା ଟପି ସାରିଥିଲା । ଆଉ ଏହାପରେ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ତେବେ ଦୀପକଙ୍କ ବାପା ଏହାକୁ ବିରୋଧ କରିବାକୁ ପ୍ରବୀଣ ତାଙ୍କୁ ମଧ୍ୟ ମାଡ ମାରିବାକୁ ପଛାଇନଥିଲେ । ଏହି ମାରପିଟ୍ ସମୟରେ ଦୀପକଙ୍କ ହାତ ଆଙ୍ଗୁଠି ଭାଙ୍ଗି ଯାଇଥିବା ବେଳେ ପ୍ରବୀଣଙ୍କ ମୁହଁରେ ଟିକିଏ ଆଘାତ ଲାଗିଛି ।

ମାରପିଟ ପରେ ଦୀପକ ଥାନାରେ ପହଞ୍ଚି ପ୍ରବୀଣଙ୍କ ନାଁରେ ଅଭିଯୋଗ କରିଥିଲେ ମଧ୍ୟ ଏହାକୁ ଗୁରୁତର ସହ ନେଇନଥିଲେ । ବରଂ ଉପରୁ ଫୋନ୍ କଲ ଆସିଲେ ଅଭିଯୋଗ ରଖାଯିବ, କାରଣ ପ୍ରବୀଣ କୁମାର ଅର୍ନ୍ତଜାତୀୟ କ୍ରିକେଟର ବୋଲି ପୋଲିସ କହିଥିଲା । ଏହସହ ଦୀପକ କହିଛନ୍ତି, ପ୍ରବୀଣ କୁମାର ନିଶାସକ୍ତ ଅବସ୍ଥାରେ ମାରପିଟ୍ କରୁଥିଲେ । ଏହି ଅଭିଯୋଗ ପାଇବା ପରେ ଉଭୟଙ୍କୁ ମେଡିକାଲ ଯାଞ୍ଚ ପାଇଁ ପଠାଇ ଦିଆଯାଇଛି । ତେବେ ଏନେଇ କୌଣସି ପ୍ରତିକ୍ର୍ରିୟା ଦେବାକୁ ମନା କରିଛନ୍ତି ପ୍ରବୀଣ କୁମାର ।