ପୁଣି ଏକ ନୂଆ ଭୂମିକାରେ ଦେଖାଦେବେ ମହେନ୍ଦ୍ର ସିଂ ଧୋନୀ, ରକ୍ଷା ମନ୍ତ୍ରଣାଳୟ ଦେଲା ଏହି ଦାୟିତ୍ୱ

183

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଚଳିତ ମାସଟି ବେସ୍ ଶୁଭଙ୍କର ରହିଛି । ଚଳିତମାସ ପ୍ରଥମରୁ ଟି-୨୦ ବିଶ୍ୱକପ ପାଇଁ ତାଙ୍କୁ ଭାରତୀୟ କ୍ରିକେଟ ଟିମର ମାର୍ଗଦର୍ଶକ ପଦରେ ନିଯୁକ୍ତି ମିଳିଥିବା ବେଳେ ଏବେ ତାଙ୍କୁ ନ୍ୟାସନାଲ କ୍ୟାଡେଟ୍ କୋର (ଏନସିସି) କୁ ନୂଆ ରୂପ ଦେବା ପାଇଁ ଗଠିତ ହୋଇଥିବା କମିଟିର ସଦସ୍ୟ ଭାବେ ସାମିଲ କରାଯାଇଛି ।

ଏନସିସିକୁ ଅଧିକ ପ୍ରାସଙ୍ଗିକ କରିବାକୁ ଓ ଏହାର ବ୍ୟାପକ ସମୀକ୍ଷା କରିବା ପାଇଁ ରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିରେ ମହେନ୍ଦ୍ର ସିଂ ଧୋନୀଙ୍କୁ ସାମିଲ କରିଛି ରକ୍ଷା ମନ୍ତ୍ରଣାଳୟ । ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଏହି କମିଟିର ଅଧ୍ୟକ୍ଷତା ପୂର୍ବ ସାଂସଦ ବୈଜୟନ୍ତ ପଣ୍ଡା କରୁଛନ୍ତି ।

କହିରଖୁ କି ଏହା ପୂର୍ବରୁ ବି ଧୋନୀ ଭାରତୀୟ ସେନା ସହ ଜଡିତ ଅଛନ୍ତି ଓ ତାଙ୍କ ପାଖରେ ଲେଫ୍ଟଟାଣ୍ଟ କର୍ଣ୍ଣଲର ପଦବୀ ରହିଛି । ମନ୍ତ୍ରଣାଳୟ ତରଫରୁ ଗଠିତ ହୋଇଥିବା ୧୫ ଜଣିଆ କମିଟିରେ ଧୋନୀଙ୍କ ବ୍ୟତୀତ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କୁ ବି ନିଆଯାଇଛି  ।

ସୂଚନା ଥାଉକି ସେପ୍ଟେମ୍ବର ୮ ତାରିଖରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯେତେବେଳେ ଟି-୨୦ ବିଶ୍ୱପ ପାଇଁ ଟିମ ଘୋଷଣା କରିଥିଲା ସେତେବେଳେ ଟିମ ସହିତ ପରାମର୍ଶଦାତା ଭାବେ ଧୋନୀଙ୍କୁ ନିଯୁକ୍ତ କରିଥିଲା । କହିରଖୁ କି ଟିମ୍ ଇଣ୍ଡିଆର ପୂର୍ବ କ୍ୟାପେଟ ମହେନ୍ଦ୍ର ସିଂ ଧୋନୀ ଗତବର୍ଷ ଅର୍ନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ । ସେ ଭାରତ ପାଇଁ ଶେଷ ମ୍ୟାଚ ଭାବେ ୨୦୧୯ ବିଶ୍ୱକପ ସେମିଫାଇନାଲ ଖେଳିଥିଲେ ।