ସାରା ଦେଶର ନଜର ଏବେ ଜମ୍ମୁ-କାଶ୍ମୀର ଉପରେ । କ’ଣ ଘଟିବାକୁ ଯାଉଛି ଘାଟିରେ? କାହିଁକି ହଠାତ୍ କାଶ୍ମୀରରେ ଏ ବ୍ୟାପକ ସେନା ପ୍ରସ୍ତୁତି? ଏଭଳି ତମାମ୍ ପ୍ରଶ୍ନକୁ ନେଇ ଜମ୍ମୁ-କାଶ୍ମୀରରେ ହଇଚଇ ଖେଳି ଯାଇଛି । ଘାଟିରେ ପ୍ରାୟ ୩୫ ହଜାର ଅତିରିକ୍ତ ଯବାନ ଠୁଳ ହେବା ପରେ ପୂରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜମ୍ମୁ-କାଶ୍ମୀର ପାଇଁ ଆଡଭାଇଜରି ଜାରି କରାଯିବା ସହ ପର୍ଯ୍ୟଟକ ଓ ତୀର୍ଥ ଯାତ୍ରୀଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁଥିରୁ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଇରଫାନ ଫଠାନ ମଧ୍ୟ ବାଦ୍ ପଡିନାହାନ୍ତି । ଜମ୍ମୁ-କାଶ୍ମୀର କ୍ରିକେଟ ଟିମର ମେଣ୍ଟର ଭାବେ ଦାୟିତ୍ୱ ତୁଲାଉଥିବା ଇରଫାନଙ୍କ ସମେତ ଅନ୍ୟ କିଛି ସପୋର୍ଟ ଷ୍ଟାଫ ଯେଉଁମାନେ କାଶ୍ମୀରର ବାସିନ୍ଦା ନୁହଁନ୍ତି ସେମାନଙ୍କୁ ତୁରନ୍ତ ଘାଟି ଛାଡିବାକୁ କୁହାଯାଇଛି ।

Advertisment

ଏହାଛଡା ଜମ୍ମୁ-କାଶ୍ମୀର କ୍ରିକେଟ ବୋର୍ଡର ସମସ୍ତ ଖେଳାଳିଙ୍କୁ ଘରକୁ ପଠାଯାଇଛି । ଏହି ଖେଳାଳି ମାନେ ଶ୍ରୀନଗରର ଶେର-ଏ-କାଶ୍ମୀର ଷ୍ଟାଡିୟମରେ ଟ୍ରେନିଂ ନେଉଥିଲେ । ତେବେ ଏଠାରେ ସୁରକ୍ଷା କାରଣ ଦର୍ଶାଇ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଛି । ଏପରିକି ଆଗକୁ ହେବାକୁ ଥିବା କ୍ରିକେଟ ଇଭେଣ୍ଟ ଗୁଡିକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ସ୍ଥିତିରେ ସୁଧାର ଆସିଲେ ପୁଣିଥରେ କ୍ରିକେଟ ଇଭେଣ୍ଟ ଆରମ୍ଭ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।