କନକ ବ୍ୟୁରୋ : ଖେଳ ଏବଂ ଚାକିରିରୁ ଅବସର ନେବା ପରେ ରାଜନୀତିରେ ପାଦ ରଖିବାକୁ ଯାଉଛନ୍ତି ହକି ଖେଳାଳୀ ପ୍ରବୋଧ ତିର୍କୀ । ଭାରତୀୟ ହକି ଦଳର ପୂର୍ବର କ୍ୟାପଟେନ୍ ପ୍ରବୋଧ ତିର୍କୀ କଂଗ୍ରେସରେ ଯୋଗଦେବେ ବୋଲି କହିଛନ୍ତି । ଆଗାମୀ ଦିନରେ ସୁଯୋଗ ମିଳିଲେ କଂଗ୍ରେସ ପକ୍ଷରୁ ତଳସରା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ଭାବେ ପ୍ରବୋଧ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।  କିଛି ଦିନ ତଳେ ବାଲିଶଙ୍କରାରେ କଂଗ୍ରେସ ପତାକା ଧରି ଦଳର ବ୍ଲକ ଘେରାଉରେ ସେ ସାମିଲ ହୋଇଥିବା ଦେଖାଯାଇଥିଲା । ଏହା ପରେ ସେ କଂଗ୍ରେସରେ ସାମିଲ ହେବା ଚର୍ଚ୍ଚା ଜୋର୍ ଧରିଥିଲା । ହକି ତାରକା ଭାବେ ଦେଶରେ ସୁନାମ ଅର୍ଜିଥିବା ପ୍ରବୋଧ ତିର୍କୀ କଂଗ୍ରେସରେ ସାମିଲ ହେବାକୁ ମନ ବଳାଇବା ତଳସରା ତଥା ଜିଲ୍ଲା ରାଜନୀତିକୁ ସରଗରମ କରିଛି ।

Advertisment

କଂଗ୍ରେସର ଗଡ଼ ଥିବା ତଳସରା ବିଧାନସଭାକୁ ୨୦୧୯‌ରେ ବିଜେପି ଛଡ଼ାଇ ନେଇଥିଲା। ଭୂତପୂର୍ବ ଲୋକପ୍ରିୟ କଂଗ୍ରେସ ବିଧାୟକ ତଥା ମନ୍ତ୍ରୀ ଗଜାଧର ମାଝୀଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଲଗାତର ୩ ଥର ବିଧାୟକ ରୂପେ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିବା ଡ. ପ୍ରଫୁଲ୍ଲ ମାଝୀ ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବା ପରେ ୨୦୨୧ ଡିସେମ୍ବରରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଲେ। ଏହା ପରେ ୨୦୨୪ ନିର୍ବାଚନରେ ତଳସରା କ୍ଷେତ୍ର ପାଇଁ କଂଗ୍ରେସ ଏକ ଗ୍ରହଣୀୟ ଚେହେରା ଖୋଜୁଥିଲେ। ପ୍ରବୋଧ କଂଗ୍ରେସ ଖୋଜୁଥିବା ଚେହେରା ହୋଇପାରନ୍ତି ବୋଲି ଆଲୋଚନା ହେଉଛି।

ବାଲିଶଙ୍କରା ବ୍ଲକର ହକି ଗାଁ ଲୁଲୁକିଡିହିରେ ଅତି ଗରିବ ପରିବାରରେ ୧୯୮୪ ଅକ୍ଟୋବର ୬ରେ ଜନ୍ମ ନେଇଥିଲେ ପ୍ରବୋଧ। ଅଭାବ ଭିତରେ ବି ବଡ଼ ଭାଇ ଇଗ୍ନେଶ ସହ ପ୍ରବୋଧ ହକି ଖେଳିବାକୁ ମନ ବଳାଇଥିଲେ। ହକି ବାଡ଼ି କିଣିବା ପାଇଁ ବାପା ସକ୍ଷମ ନଥିବାରୁ ବାଉଁଶ ବାଡ଼ି ଧରି ହକି ଅଭ୍ୟାସ କରୁଥିଲେ। ସେମାନଙ୍କ ପାଇଁ ଗାଁ ଦାଣ୍ଡ ହିଁ ଥିଲା ହକି ପଡ଼ିଆ । ବାଉଁଶ ବାଡ଼ି ଓ ଗାଁ ଦାଣ୍ଡରୁ ଯାତ୍ରା ଆରମ୍ଭ କରିଥିବା ଇଗ୍ନେଶ ଓ ପ୍ରବୋଧ ପରବର୍ତ୍ତୀ ସମୟରେ ଭାରତୀୟ ହକି ଦଳରେ ପ୍ରମୁଖ ସ୍ଥାନ ଦଖଲ କରି ନେଇଥିଲେ। ଏକ ସମୟରେ ପ୍ରବୋଧ ଭାରତୀୟ ଦଳର ଅଧିନାୟକ ଭାର ସମ୍ଭାଳିଥିଲେ । ୨୦୦୭ରେ ତାଙ୍କ ନେତୃତ୍ବରେ ଭାରତୀୟ ଦଳ ଏସିଆ କପ୍ ଜିତିଥିଲା। ୧୬୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ପ୍ରବୋଧ ଏକଲବ୍ୟ ପୁରସ୍କାର, ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ସମ୍ମାନ ପାଇଥିଲେ। ଏୟାର ଇଣ୍ଡିଆରେ ଆହୁରି ୧୮ ବର୍ଷ ଚାକିରି ଥିବା ସତ୍ତ୍ବେ ସେ ଗତ ଜୁଲାଇ ୩୧ରେ ଅବସର ନେଇ ଗାଁକୁ ଚାଲି ଆସିଛନ୍ତି ।