କାଠଗଡାରେ ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ। ‘ଫ୍ଲୋର ଟେଷ୍ଟ ଡାକିବା ଅସାମ୍ବିଧାନିକ’

303

କନକ ବ୍ୟୁରୋ: ମହାରାଷ୍ଟ୍ର ସିନ୍ଦେ ଗୋଷ୍ଠୀ ବନାମ ଉଦ୍ଧବ ଗୋଷ୍ଠୀ ମାମଲାରେ ବିଚାର କରି ଏଭଳି କଡା ଟିପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ସମେତ ପାଞ୍ଚ ଜଣିଆ ଖଣ୍ଡପୀଠ ଉଭୟ ପକ୍ଷରୁ କରାଯାଇଥିବା ଏକାଧିକ ମାମଲାର ବିଚାର କରି, ମହାରାଷ୍ଟ୍ର ତକ୍ରାଳୀନ ରାଜ୍ୟପାଳ ଓ ବାଚସ୍ପତିଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଟିପଣୀ ଦେଇ କହିଛନ୍ତି,
– ଇସ୍ତଫା ଦେଇଥିବା କାରଣରୁ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପୁନଃ ଅବସ୍ଥାପିତ କରାଯାଇପାରିବ ନାହିଁ
– ଫ୍ଲୋର ଟେଷ୍ଟର ସମ୍ମୁଖୀନ ହୋଇଥିଲେ, ପୁନଃ ଅବସ୍ଥାପିତ କରାଯାଇପାରିଥାନ୍ତା
– କିନ୍ତୁ ରାଜ୍ୟପାଳ ଫ୍ଲୋର ଟେଷ୍ଟ ଡକାଇବା ନିଷ୍ପତି ଭାରତ ସମ୍ବିଧାନର ବିରୁଦ୍ଧାଚରଣ କରୁଛି
– ଶିବସେନାର ଅନ୍ୟ ଗୋଷ୍ଠୀର ବିଧାୟକଙ୍କ ପ୍ରସ୍ତାବ ଉପରେ ଭରସା କରିବା ତକ୍ରାଳିନ ରାଜ୍ୟପାଳଙ୍କ ତ୍ରୁଟି
– ତେବେ ଉଦ୍ଧବ ଇସ୍ତଫା ଦେବା ପରେ ଏକନାଥ ସିନ୍ଦେଙ୍କୁ ସରକାର ପାଇଁ ଡାକିବା ସାମ୍ବିଧାନିକ

ସୁପ୍ରିମକୋର୍ଟଙ୍କ ରାୟ ପରେ ସିନ୍ଦେ ଗୋଷ୍ଠୀକୁ ଆଶ୍ୱସ୍ତି ମିଳିଛି କିନ୍ତୁ ଉଦ୍ଧବ ଗୋଷ୍ଠୀର ନୈତିକ ବିଜୟ ହୋଇଛି । ବିବାଦ ପରେ ମହାରାଷ୍ଟ୍ରର ସିନ୍ଦେ ସରକାରକୁ ଅସାମ୍ବିଧାନିକ ବୋଲି କହି ଆସୁଛନ୍ତି ଉଦ୍ଧବ ଗୋଷ୍ଠୀ । ଆଉ ଏବେ ଖଣ୍ଡପୀଠ ରାଜ୍ୟପାଳଙ୍କ ନିଷ୍ପତିକୁ ନେଇ ପ୍ରଶ୍ନ ଉଠାଇବା ପରେ ଉଦ୍ଧବ ଠାକରେ କହିଛନ୍ତି ତାଙ୍କର ବିଜୟ ହୋଇଛି । ଅନ୍ୟପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ତାଙ୍କର ବିଜୟ ହୋଇଛି ।

ତେବେ ମହାରାଷ୍ଟ୍ରର ବିବାଦ ଶେଷ ହୋଇନାହିଁ । ସିନ୍ଦେଙ୍କ ସମେତ ୧୬ ଜଣ ବିଧାୟକଙ୍କ ଅଯୋଗ୍ୟ ମାମଲାରେ ବାଚସ୍ପତି ହିଁ ନିଷ୍ପତି ନେବେ ବୋଲି କୋର୍ଟ କହିଛନ୍ତିି । ଅର୍ଥାତ ବାଚସ୍ପତି କି ନିଷ୍ପତି ନେଉଛନ୍ତି ତା ଉପରେ ନିର୍ଭର କରୁଛି ମହାରାଷ୍ଟ୍ରର ସିନ୍ଦେ ସରକାରଙ୍କ ଭାଗ୍ୟ । ସେହିପରି ବାଚସ୍ପତି ଓ ଉପବାଚସ୍ପତିଙ୍କ ନିଯୁକ୍ତି ବୈଧତା ମାମଲା, ବୃହତ୍ତର ଖଣ୍ଡପୀଠକୁ ପଠାଇ ଦେଇଛନ୍ତି କୋର୍ଟ ।