କନକ ବ୍ୟୁରୋ : ପୂର୍ବତନ ଶିକ୍ଷାବିତ୍‌ ତଥା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ପ୍ରଫେସର ଶ୍ରୀନିବାସ ମିଶ୍ରଙ୍କ ତାଙ୍କ ସହିଦନଗର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୯୭ ବର୍ଷ ହୋଇଥିଲା। ସେ ଦୃଗଘାତରେ ମୃତ୍ୟୁବରଣ କରିଛନ୍ତି। ସ୍ଵର୍ଗତ ମିଶ୍ର ଏକାଧାରରେ ଜଣେ ଶିକ୍ଷକ, ଅନୁବାଦକ, ସାହିତ୍ୟ ସମୀକ୍ଷକ, ପ୍ରବନ୍ଧକ ଥିଲେ।

Advertisment

ସେ ଅକ୍ଟୋବର ୨୬ ତାରିଖ ୧୯୨୭ ମସିହାରେ କେନ୍ଦ୍ରାପଡ଼ା ଗୋବିନ୍ଦପୁର ସ୍ଥିତ କଚେରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ନିଳାମ୍ଵର ମିଶ୍ର ଓ ମାତା ମୋତି ଦେବୀ। ସେ ନିଜର ଶିକ୍ଷକତା ଜୀବନ ଖ୍ରୀଷ୍ଟ କଲେଜରୁ ଆରମ୍ଭ କରିଥିଲେ। ଏହା ପରେ ସେ ଫକୀର ମୋହନ ବିଶ୍ଵବିଦ୍ୟାଳୟ ଓ ରେଭେନ୍ସା କଲେଜରେ ଶିକ୍ଷକତା କରିଥିଲେ। ସେ ବିଶ୍ଵଭାରତୀ ଶାନ୍ତି ନିକେତନରେ (୧୯୬୩-୭୦) ମଧ୍ୟରେ ଓଡ଼ିଆ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ।

ଏଥିସହିତ ପୂର୍ବାଞ୍ଚଳ ଆଞ୍ଚଳିକ ଭାଷା ପ୍ରଶିକ୍ଷଣ କେନ୍ଦ୍ରରେର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସ୍ଵର୍ଗତ ମିଶ୍ର ଓଡ଼ିଆ, ବଙ୍ଗାଳୀ ଓ ସଂସ୍କୃତ ଭାଷାର ଜଣେ ବିଶେଷଜ୍ଞ ଥିଲେ। ସେ ‘ହିନ୍ଦୁ ଭିଉ ଅଫ୍‌ ଲାଇଫ୍‌’, ‘ଏଟରନାଲ୍‌ ବିବେକାନନ୍ଦ’, ‘ଲାଇଫ୍‌ ଆଣ୍ଡ ୱାର୍କ ଅଫ୍‌ ବି ଆର ଆମ୍ୱେଦକର’, ‘ହିଷ୍ଟ୍ରି ଅଫ୍‌ ବେଙ୍ଗଲୀ’ ଆଦି ପୁସ୍ତକର ଅନୁବାଦ କରିଥିଲେ। ସେ ଜଣେ ଉଚ୍ଚକୋଟୀର ସମୀକ୍ଷକ ଥିଲେ। ତାଙ୍କ ସମୀକ୍ଷା ପୁସ୍ତକ ‘ସାହିତ୍ୟ କଥା’ ୧୯୬୭ ମସିହାରେ କଟକ ଛାତ୍ର ଷ୍ଟୋର ଦ୍ଵାରା ପ୍ରକାଶିତ ହୋଇଥିଲା। ସେ ଓଡ଼ିଆ ଗଦ୍ୟ ସାହିତ୍ୟରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ତାଙ୍କ ଅଧିନରେ ବହୁ ଛାତ୍ରଛାତ୍ରୀ ଏମଫିଲ, ପିଏଚଡି ଡିଗ୍ରୀ ହାସଲ କରିଛନ୍ତି।

ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ପୁତ୍ର ମନୋରଞ୍ଜନ ମିଶ୍ର, ଶିବ ପ୍ରସନ୍ନ ମିଶ୍ର, ସତ୍ୟ ରଞ୍ଜନ ମିଶ୍ରଙ୍କ ସମେତ ପୁତ୍ରବଧୂ ସଞ୍ଜିତା, ସ୍ମିତାଞ୍ଜଳି ଓ ପ୍ରଭାସିନୀ ପ୍ରମୁଖ ଥିଲେ। ସେହିପରି ତାଙ୍କ ଜ୍ଵାଇଁ ଉମାକାନ୍ତ ମିଶ୍ର, ବସନ୍ତ ମିଶ୍ର, ଶିବ ପ୍ରସାଦ ମିଶ୍ର, ମନୋରଞ୍ଜନ ପଣ୍ଡା ଓ ଝିଅ ପୁନି, ଜଲି, ସେଲି , ମିନି , ଇତି ଆଦି ଉପସ୍ଥିତ ଥିଲେ।