ନବୀନ ନିବାସରେ ଓଡିଶାର ତୁଙ୍ଗ ନେତାଙ୍କ ଭିଡ । ଟିକେଟ୍ ପାଇଁ ସୁପ୍ରିମୋଙ୍କ ପାଖରେ ମତ ରଖିବାକୁ ପହଞ୍ଚିଲେ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ରାଜେନ୍ଦ୍ର ଦାସ

ସୁନ୍ଦରଗଡ ପାଇଁ ଟିକେଟ ପାଇବାକୁ ଯୋଗେଶଙ୍କ ଲବି

212

କନକ ବ୍ୟୁରୋ: ନବୀନ ନିବାସରେ ଆଜି ବି ନେତାଙ୍କ ଭିଡ ଜମିଛି । ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ନିଜ ସମର୍ଥକଙ୍କ ସହ ନବୀନ ନିବାସରେ ପହଚିଂଛନ୍ତି । ଟିକେଟ ପାଇଁ ଲବି ଜାରି ରହିଛି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ସେଥିରେ ଖୁସି ବୋଲି ସେ କହିଛନ୍ତି । ଦଳ ପାଇଁ କାମ କରିଆସିଛି, ଆଗକୁ ବି କରିବେ ବୋଲି କହିଛନ୍ତି ପୂର୍ଣ୍ଣଚନ୍ଦ୍ର । ୨ ଥର ବିଧାୟକ ଓ ଚେୟାରମ୍ୟାନ ରହିଛି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତିି ନେବେ ତାକୁ ସ୍ୱାଗତ କରିବେ ବୋଲି କହିଛନ୍ତି ।

ଡକରା ପାଇ ନବୀନ ନିବାସରେ ପୁଣି ପହଚିଂଲେ ଦାମଙ୍କ ପୁଅ ସମ୍ବିତ ରାଉତରାୟ । ଦ୍ୱିତୀୟ ଥର ପାଇଁ ସେ ସୁପ୍ରିମୋଙ୍କୁ ଭେଟିଛନ୍ତି । ପାରାଦୀପରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଗତ ୧୪ ତାରିଖରେ ବି ନବୀନ ନିବାସରେ ପହଂଚିଥିଲେ ସମ୍ବିତ ରାଉତ । କହିଥିଲେ ପାରାଦୀପ ଆସନ ପାଇଁ ସେ ଆଗ୍ରହୀ । ଗୋଟିଏ ପଟେ ବାପା ଦାମ ରାଉତ ବିଜେପିରେ ମିଶି ବିଜେଡିକୁ ଚେକ୍ ଦେବାକୁ ଚାହୁଥିବା ବେଳେ ନବୀନ ନିବାସରେ ପୁଅ ସମ୍ବିତ ରାଉତରାୟଙ୍କୁ ଦ୍ୱିତୀୟ ଥର ପାଇଁ ଦେଖିବାକୁ ମିଳିଛି ।

ସେହିପରି କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ଯୋଗେଶ ସିଂଙ୍କ ମଧ୍ୟ ନବୀନ ନିବାସ ଆସିଛି । ସୁନ୍ଦରଗଡ ପାଇଁ ଟିକେଟ ପାଇବା ଆଶାରେ ସେ ଲବି କରୁଛନ୍ତି । ଫେବୁଆରୀ ୬ ତାରିଖରେ ନବୀନ ନିବାସରେ ଶଙ୍ଖ ଧରିଥିଲେ ଯୋଗେଶ ସିଂ । ଶହ ଶହ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ବିଜେଡିରେ ସାମିଲ ହୋଇଥିଲେ ସୁନ୍ଦରଗଡର ପୂର୍ବତନ ବିଧାୟକ ।

କେନ୍ଦ୍ରାପଡା ଆସନରେ କାହାକୁ ଟିକେଟ ମିଳିବ ସେ ନେଇ ଅଙ୍କକଷା ଜାରି ରହିଥିବା ବେଳେ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ସିପ୍ରା କହିଛନ୍ତି, ସେ ସକ୍ରିୟ ଥିଲେ । କେନ୍ଦ୍ରପଡାରୁ ଲଢିବାକୁ ଚାହୁଁଛନ୍ତି । ଲୋକଙ୍କ ପାଇଁ ଥିବା ଅଧୁରା କାମକୁ ପୂରଣ କରିବେ । ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବେ ବୋଲି ସିପ୍ର ଆଶା ପ୍ରକାଶ କରିଛନ୍ତି ।

ସେହିପରି ଭଦ୍ରକ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଆଜି ନବୀନ ନିବାସରେ ପହଁଚିଛନ୍ତି । ସେ କହିଛନ୍ତି କି, ଟିକେଟ୍ ପାଇଁ ନୁହେଁ ବରଂ ଦଳର ଜଣେ ଶୁଂଖଳିତ ସଭ୍ୟ ହିସାବରେ ମୁଁ ଦଳ ସହିତ ସବୁବେଳେ ଅଛି ଏବଂ ସୁପ୍ରିମୋ ଯାହା ନିର୍ଦ୍ଦେଶ ଦେବେ ତାକୁ ସୁଚାରୁ ରୂପେ ସଂପାଦନ କରିବା ପାଇଁ ସଦାସର୍ବଦା ଚେଷ୍ଟା କରିବେ ବୋଲି କହିଛନ୍ତି ରାଜେନ୍ଦ୍ର । ତେବେ ବିଜେଡି ସୁପ୍ରିମୋ ତଥା ରାଜ୍ୟ ସଭାପତି ନିଶ୍ଚୟ ତାଙ୍କ ମୁଣ୍ଡରେ ସୁନା କଳସ ଢାଳିବେ ବୋଲି ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଆଶା ବାନ୍ଧିଛନ୍ତି ।