ଶୀଲାଙ୍କ ଶେଷକୃତ୍ୟ ସମ୍ପନ୍ନ: ନିଗମ ବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସରିଲା ଅନ୍ତିମ ସଂସ୍କାର

179

କନକ ବ୍ୟୁରୋ : ପଞ୍ଚଭୂତରେ ଲୀନ ହେଲା ଶୀଲାଙ୍କ ମରଶରୀର । ଲୁହ ଆଉ କୋହରେ ଶୀଲାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ସହ ଶେଷ ବିଦାୟ ଜଣାଇଲେ ସମସ୍ତେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶୀଲାଙ୍କ ଶେଷକୃତ୍ୟ ସମ୍ପନ ହୋଇଛି । ନିଗମ ବୋଧ ଘାଟରେ ଶୀଲାଙ୍କ ଅନ୍ତିମ ସଂସ୍କାର କରାଯାଇଛି । କଂଗ୍ରେସ କାର୍ଯ୍ୟାଳୟରେ ଶେଷ ଦର୍ଶନ ପରେ ଶୀଲାଙ୍କ ପାର୍ଥିକ ଶରୀରକୁ ନିଗମବଧ ଘାଟକୁ ନିଆଯାଇଥିଲା । ଆଉ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଅନ୍ତିମ ସଂସ୍କାର ବେଳେ ପ୍ରବଳ ବର୍ଷା ଜାରି ରହିଥିଲା । ଆକାଶର ବର୍ଷାକୁ ଦେଖି ଏମିତି ଲାଗୁଥିଲା ଯେମିତି, ଆକାଶର ବର୍ଷା ବି ଶୀଲାଙ୍କୁ କାନ୍ଦି କାନ୍ଦି ଅଶ୍ରୁଳ ବିଦାୟ ଦେଉଥିଲା ।


ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ଶେଷ ଯାତ୍ରାରେ ସାମିଲ ହୋଇଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତ । । ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ବହୁନେତା ଶେଷ ଯାତ୍ରାରେ ସାମିଲ ହୋଇଥିଲେ । ଶେଷଯାତ୍ରା ପୂର୍ବରୁ ଶୀଲାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ଉପାଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପ୍ରିୟଙ୍କା ଗାନ୍ଧୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ, ସଚିନ ପାଇଲଟ ଆଦି ବଡ ବଡ ନେତା ।


ତେବେ ଗତକାଲି ଅପରାହ୍ଣ ୩ଟା ୩୦ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଶୀଲା । ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ୮୧ ବର୍ଷ ବୟସରେ ଶେଷନିଦ୍ରାରେ ଯାଇଥିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ । ଶୀଲାଙ୍କ ଦେହାନ୍ତ ପରେ ତାଙ୍କୁ ସମ୍ମାନ ଜଣାଇ ୨ ଦିନ ପାଇଁ ଦିଲ୍ଲୀରେ ରଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । କଂଗ୍ରେସ କାର୍ଯ୍ୟାଳୟରେ ବି ଅର୍ଦ୍ଧନମିତ ହୋଇଛି ତ୍ରିରଙ୍ଗା ।

ଶୀଲାଙ୍କ ଦେହାନ୍ତ କଂଗ୍ରେସ ପାଇଁ ଏକ ଗଭୀର କ୍ଷତ ବୋଲି ସୋନିଆ କହିଥିବା ବେଳେ ସେ ଥିଲେ ତାଙ୍କ ସବୁଠୁ ଭଲ ସାଙ୍ଗ ବୋଲି ସୋନିଆ କହିଛନ୍ତି । ତେବେ ଜାତୀୟସ୍ତରର ଅନେକ ନେତା ଯେଉଁମାନେ ଶୀଲାଙ୍କ ସହ ବିଭିନ୍ନ ସମୟରେ କାମ କରିଛନ୍ତି ସେମାନେ ଶେଷ ଦର୍ଶନ କରିବା ସହ ଶୀଲାଙ୍କ ଏପରି ହଠାତ୍ ବିୟୋଗ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୀଲାଙ୍କ ଏପରି ବିୟୋଗ କଂଗ୍ରେସ ରାଜନୀତିରେ ଏକ ବିରାଟ ଶୂନ୍ୟ ସ୍ଥାନ ସୃଷ୍ଟି କରିବ ବୋଲି ଅନେକ ନେତା ମତ ପ୍ରକାଶ କରିଛନ୍ତି ।