ଆମ୍ ଆଦମୀ ପାର୍ଟିକୁ ବଡ ଝଟକା । ଇସ୍ତଫା ଦେଲେ ହରିଆଣାର ଦଳ ମୁଖ୍ୟ

166

କନକ ବ୍ୟୁରୋ : ହରିଆଣା ଆମ୍ ଆଦମୀ ପାର୍ଟିର ପ୍ରଚାର କମିଟି ମୁଖ୍ୟ ଅଶୋକ ତନୱର ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଚର୍ଚ୍ଚା ହେଉଛି କି ସେ ଖୁବଶୀଘ୍ର ବିଜେପିରେ ଯୋଗ ଦେବେ ।
ଗତ ବିଧାନସଭା ନିର୍ବାଚନ ବେଳେ ହରିଆଣାରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ଚେହେରା ଥିଲେ ଅଶୋକ । ଏହାସହ ସେ ଦଳ ପାଇଁ ରାଜ୍ୟର ପ୍ରଚାର କମିଟିର ମୁଖ୍ୟ ମଧ୍ୟ ଥିଲେ । ହେଲେ ଏବେ ସେ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ଆକଳନ କରାଯାଉଛି କି ଶୁକ୍ରବାର ଦିନ ସେ ବିଜେପିରେ ଯୋଗଦେଇପାରନ୍ତି । ଏହାସହ ବିଜେପି ତାଙ୍କୁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ମେଣ୍ଟ କାରଣରୁ ସେ ଦଳରୁ ଇସ୍ତଫା ଦେଇଛନ୍ତି । ଗତ ସପ୍ତାହରେ ସେ ହରିଆଣାର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କୁ ଭେଟିଥିଲେ ।

କେବଳ ଆମ୍ ଆଦମୀ ପାର୍ଟି ନୁହେଁ ଏହା ପୂର୍ବରୁ ସେ ହରିଆଣା କଂଗ୍ରେସର ମଧ୍ୟ ମୁଖ୍ୟ ଥିଲେ । କଂଗ୍ରେସ ରାଜନୀତିରେ ଅଶୋକ ରାହୁଲ ଗାନ୍ଧୀଙ୍କ ନିକଟତର ବୋଲି କୁହାଯାଏ । ୨୦୨୧ ରେ କଂଗ୍ରେସ ମୁଖ୍ୟଙ୍କ ଉଦାସୀନତା କାରଣରୁ ସେ ଦଳ ଛାଡି ପ୍ରଥମେ ଟିଏମସିରେ ଯୋଗ ଦେଇଥିଲେ । ହେଲେ ସେ କଂଗ୍ରେସରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କର ତାଙ୍କ ପ୍ରତି ପ୍ରଗାଢ ବିଶ୍ୱାସ ଥିଲେ । ଯୁବନେତା ଭାବେ ତାଙ୍କୁ ହରିଆଣା କଂଗେୟସର ଅଧ୍ୟକ୍ଷ ପଦ ବି ମିଳିଥିଲା । ପ୍ରଥମେ ସେ କଂଗ୍ରେସରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ପରେ ଟିଏମସି ଛାଡି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ ।

ଅଶୋକ ତନୱରଙ୍କ ଜନ୍ମ ହରିଆଣାର ଝାଞ୍ଜର ଜିଲ୍ଲାରେ ହୋଇଥିଲା । ସେ ଜେଏନୟୁରୁ ପିଏଚଡି କରିଛନ୍ତି । ଜେଏନୟୁରୁ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।