ପଦ ଗଲା ପରେ ଛାଡିବାକୁ ହେବ ସରକାରୀ ବଙ୍ଗଳା ! ବାଦ ପଡିବେନି ପୂର୍ବତନ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ।

42

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ଆଉ ସ୍ଥାୟୀ ଭାବେ ସରକାରୀ ବଙ୍ଗଳାରେ ରହିପାରିବେ ନାହିଁ। ଜଣେ ବ୍ୟକ୍ତି ନିଜ ପଦରୁ ଯିବା ପରେ ସରକାରୀ ଆବାସ ତାଙ୍କ ପାଇଁ ଇତିହାସ ସଦୃଶ, ତେଣୁ ସାରା ଜୀବନ ଜଣଙ୍କୁ ସରକାରୀ ଆବାସ ଯୋଗାଇ ହେବନାହିଁ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ଥାୟୀ ସରକାରୀ ଆବାସ ଯୋଗାଣ ସଂକ୍ରାନ୍ତ ଉତ୍ତର ପ୍ରଦେଶ ବିଧାନସଭାର ଆଇନକୁ ଆଜି ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ ସରକାରୀ ବଙ୍ଗଳା ପାଇଁ ପଦରୁ ଯାଇଥିବା ବ୍ୟକ୍ତିମାନେ ଯୋଗ୍ୟ ବିବେଚିତ ନୁହନ୍ତି। ଯେହେତୁ ସେମାନେ ସରକାରୀ ପଦରେ ନାହାନ୍ତି ତେଣୁ ସେମାନେ ସରକାରୀ ବଙ୍ଗଳାରେ ମଧ୍ୟ ରହିପାରିବେ ନାହିଁ ବୋଲି ବିଚାରପତି ରଂଜନ ଗୋଗୋଇ ଏବଂ ବିଚାରପତି ଆର୍ ଭାନୁମତିଙ୍କ ଖଣ୍ଡପୀଠ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଏହି ରାୟ ଉତ୍ତରପ୍ରଦେଶ ବିଧାନସଭା ଆଇନ ପରିପ୍ରେକ୍ଷୀରେ ହୋଇଥିଲେ ମଧ୍ୟ ଏହା ଦେଶର ସମସ୍ତ ପୂର୍ବତନ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି ଜଣାପଡ଼ିଛି । କାରଣ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ତାଙ୍କ ରାୟରେ ଶୁଣାଇ ଦେଇଛନ୍ତି ଯେ ଜଣେ ବ୍ୟକ୍ତି ପ୍ରାରମ୍ଭରେ ଯେଉଁ ପଦବିରେ ରହିଥିବେ ସେଥିରୁ ସେ ବିଦାୟ ନେବା ପରେ ତାଙ୍କୁ ସେହି ସୁବିଧା ସୁଯୋଗ ଦିଆଯିବ ନାହିଁ।

 

 

ଉଲ୍ଲେଖଯୋଗ୍ୟ ୨୦୧୬ ମସିହା ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ୟୁପିର ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ସେମାନଙ୍କୁ ଦିଆଯାଇଥିବା ସରକାରୀ ବଙ୍ଗଳା ଛାଡ଼ିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ୟୁପି ସରକାର ଏହି ସୁବିଧାକୁ ବଳବତ୍ତର ରଖିବାପାଇଁ ଏହାର ଠିକ୍ ୩ ମାସପରେ ଏ ବାବଦ ୧୯୮୧ର ଆଇନରେ ସଂଶୋଧନ ଆଣିଥିଲେ। କିନ୍ତୁ ୟୁପି ସରକାରଙ୍କର ଏହି ସଂଶୋଧିତ ଆଇନକୁ ଲୋକ ପ୍ରହରୀ ସ୍ୱେଚ୍ଛାସେବୀ ସଂସ୍ଥା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ଆଜି ଏହି ସ୍ୱେଚ୍ଛାସେବୀ ସଂସ୍ଥାର ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଉପରୋକ୍ତ ୟୁପି ଆଇନକୁ ରଦ୍ଦ କରିଦେଇଛନ୍ତି ଏବଂ ଏହାଦ୍ୱାରା ୟୁପିର ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ସରକାରୀ ବଙ୍ଗଳା ଛାଡ଼ିବାକୁ ବାଧ୍ୟ ବୋଲି କୁହାଯାଇଛି।

ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ, ଅଖିଳେଶ ଯାଦବ, ବିଏସପି ସୁପ୍ରିମୋ ମାୟାବତୀଙ୍କ ସମେତ ସମୁଦାୟ ୬ଜଣ ୟୁପି ପୂର୍ବ ମୁଖ୍ୟମନ୍ତ୍ରୀ ଏବେ ସରକାରୀ ବଙ୍ଗଳା ଛାଡ଼ିବେ। ବିଜେପିର ରାଜନାଥ ସିଂହ, କଲ୍ୟାଣ ସିଂହ ଏବଂ କଂଗ୍ରେସର ନାରାୟଣ ଦତ୍ତ ତିଓ୍ଵାରିଙ୍କୁ ମଧ୍ୟ ସେମାନଙ୍କ ସରକାରୀ ବଙ୍ଗଳା ଛାଡ଼ିବାକୁ ପଡ଼ିବ। ୨ ମାସ ଭିତରେ ସେମାନଙ୍କୁ ବଙ୍ଗଳା ଖାଲି କରିବାକୁ ପଡ଼ିବ।