ବିଜେପି ଛାଡିଲେ, ତେରେଛା ତୀର ମାରିଲେ । ପଦ୍ମ ଶିବିର ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ପଢନ୍ତୁ, କଣ କହିଲେ…

316

କନକ ବ୍ୟୁରୋ: “ସେମାନେ ଯେତିକି ପଚାରିଲେ କହିଲି, ଯାହା ପଚାରିଲେନି, ତା’ କହିଲିନି । ଯେଉଁଠିକି ଡାକିଲେ ଗଲି, ନ ଡାକିଲେ ଗଲିନି । ଦେଖିକି ମୋତେ, ନ ଦେଖିଲା ଭଳିଆ ବ୍ୟବହାର କରୁଥିଲେ । ମୋତେ କାର୍ଯ୍ୟକ୍ରମରେ ସାମିଲକଲେନି । ଭବିଷ୍ୟତରେ ବି ମୋର ବିଜେପିରେ ନିର୍ବାଚନ ଲଢିବାର ନାହିଁ ”, ବୁଧବାର ଏମିତି ଢଙ୍ଗରେ ପ୍ରେସମିଟ୍ କରି ବିଜେପିରୁ ଇସ୍ତଫା ଦେବା ସହିତ ତେରେଛା ତୀର ମାରିଛନ୍ତି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ନେତା ଗିରିଧର ଗମାଙ୍ଗ ।

ଏକଦା ଓଡିଶାର ମୁଖ୍ୟମନ୍ତ୍ରୀ ଥିବା ଏହି ନେତା ୨୦୧୫ ମସିହାରେ ବିଜେପିରେ ସାମିଲ ହୋଇଥିଲେ । ହେଲେ ବୁଧବାର ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହିତ ବିଜେପିକୁ ଗୁଡବାଏ କହିଛନ୍ତି । ଖାଲି ସେ ନୁହଁନ୍ତି, ତାଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଜେପିରୁ ଇସ୍ତଫା ଦେଇଛନ୍ତି । ତେବେ ଦୁହେଁ ନେତା ଆଗାମୀ କିଛି ଦିନ ଭିତରେ କେସିଆରଙ୍କ ବିଆରଏସରେ ସାମିଲ ହୋଇ ଓଡିଶାର ଦାୟିତ୍ୱ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ନିଜ ଇସ୍ତଫା ନେଇ ପ୍ରେସମିଟ୍ କରିବା ସହ ଗିରିଧର ଗମାଙ୍ଗ ବିଜେପିକୁ ସିଧା ନହେଲେ ବି ତେରେଛା ତୀର ମାରିଛନ୍ତି । ଦଳରେ ତାଙ୍କୁ ଯେତିକି ଗୁରୁତ୍ୱ ଦିଆଯିବା କଥା,ସେତିକି ଗୁରୁତ୍ୱ ଦିଆଯାଉନଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ମୁତାବକ, ତାଙ୍କୁ ଜାଣିଶୁଣି ଡେରିରେ କାର୍ଯ୍ୟକ୍ରମର ସୂଚନା ଦିଆଯାଉଥିଲା । ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଯାଉନଥିଲା । ଯେତିକି କାର୍ଯ୍ୟକ୍ରମରେ ତାଙ୍କୁ ଡକା ଯାଉଥିଲା, ସେତିକି କାର୍ଯ୍ୟକ୍ରମରେ ସେ ଯୋଗ ଦେଉଥିଲେ । ଯେଉଁଠିକି ଡକାଯାଉନଥିଲା, ସେଠିକି ସେ ଯାଉନଥିଲେ । ଯେତିକି ଡାକୁଥିଲେ, ଯାଉଥିଲେ…ଯେତିକି ପଚାରୁଥିଲେ, ସେତିକି କହୁଥିଲି ବୋଲି ଶେଷରେ କହିଛନ୍ତି ଗିରିଧର ଗମାଙ୍ଗ ।

ଅନ୍ୟପଟେ ଇସ୍ତଫା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ଗମାଙ୍ଗ । ଗିରିଧର ଗମାଙ୍ଗ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ଓଡିଶାର ଲୋକଙ୍କ ପାଇଁ ଗଲା କିଛି ବର୍ଷ ଧରି ସେ ନିଜ ରାଜନୈତିକ, ସାମାଜିକ ଓ ନୈତିକ କର୍ତ୍ତବ୍ୟ କରିପାରିନାହାଁନ୍ତି । ସେଥିପାଇଁ ସେ ବିଜେପିରୁ ଇସ୍ତଫା ଦେଉଛନ୍ତି । ଅନ୍ୟପଟେ ତାଙ୍କ ପୁଅ ଶିଶିର ଗମାଙ୍ଗୋ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, ୨୦୧୫ ମସିହାରେ ମୋଦୀଙ୍କ ନେତୃତ୍ୱ ଦକ୍ଷତା ଦେଖି ସେ ବିଜେପିରେ ସାମିଲ ହୋଇଥିଲେ । ହେଲେ ଏହି ସମୟ ଭିତରେ ସେ ତାଙ୍କ ଆଦିବାସୀ ସମ୍ପ୍ରଦାୟ ପାଇଁ କିଛି ବି କରିପାରିନାହାଁନ୍ତି । ସେଥିପାଇଁ ସେ ବିଜେପିରୁ ଇସ୍ତଫା ଦେଉଥିବା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶିଶିର ଗମାଙ୍ଗଙ୍କ ସହ ଗିରିଧର ଗମାଙ୍ଗ ଭାରତ ରାଷ୍ଟ୍ର ସମିତି ବା ବିଆରଏସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଆସନ୍ତା ୨୭ ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଉପସ୍ଥିତିରେ ବିଆରଏସରେ ଆନୁଷ୍ଠାନିକ ଭାବେ ସାମିଲ ହେବେ ବୋଲି କୁହାଯାଉଛି । ସେହିପରି ୪୦ ବର୍ଷ ଧରି ଅଣକଂଗ୍ରେସ ଆଦିବାସୀ ନେତା ଭାବେ କୋରାପୁଟ ଜିଲ୍ଲାର ମଙ୍ଗ ଧରିଥିବା ଜୟରାମ ପଙ୍ଗି ମଧ୍ୟ ୨୭ ତାରିଖରେ ବିଆରଏସରେ ଯୋଗଦେବା ଏକପ୍ରକାର ନିଶ୍ଚିତ । ୧୦ ଦିନ ତଳେ ବିଆରଏସ ମୁଖ୍ୟଙ୍କୁ ଭେଟିବା ପରେ ରାଜନୈତିକ ଆକଳନ ଆରମ୍ଭ ହୋଇଥିଲା । ହେଲେ ବିଆରଏସରେ ସାମିଲ ହେବା ନେଇ ଦୁଇ ବରିଷ୍ଠ ନେତା ଜୟରାମ ପାଙ୍ଗି ଓ ଗିରିଧର ଗମାଙ୍ଗ ମାପିଚୁପି ପ୍ରତିକ୍ରିୟା ରଖିଥିଲେ । ଶେଷରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ଏକ ଭିଡିଓ ଜାରି କରିଥିଲେ ଜୟରାମ ପାଙ୍ଗି । ଏଥିରେ ସେ ଆସନ୍ତା ୨୭ ତାରିଖରେ ବିଆରଏସରେ ଯୋଗଦେବେ ବୋଲି କହିଛନ୍ତି ।