ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ନିଶ୍ୱାସ ନେବାରେ ଅସୁବିଧା ହେବାରୁ ନିଆଯାଇଥିଲା ମେଡିକାଲ, ସେଠରେ ଅଟକିଗଲା ଶ୍ୱାସକ୍ରିୟା

170

କନକ ବ୍ୟୁରୋ : ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ରାଜନେତା କେଶୁଭାଇ ପଟେଲଙ୍କର ୯୨ ବର୍ଷ ବୟସରେ ପରଲୋକ ହୋଇଛି । କିଛିଦିନ ପୂର୍ବରୁ କେଶୁଭାଇ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କର ଚିକିତ୍ସା କରାଯାଇ ତାଙ୍କୁ ସୁସ୍ଥ କରାଯାଇଥିଲା । ହେଲେ ଆଜି (ଗୁରୁବାର) ସକାଲେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅଳ୍ପ ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କେଶୁଭାଇଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ସହ କଥା ହୋଇ ସମବେଦନା ଜଣାଇଛନ୍ତି । କେଶୁଭାଇଙ୍କ ପୁଅ କହିଛନ୍ତି କି ସେ କରୋନାରୁ ଭଲ ହେବା ପରେ ବି ତାଙ୍କ ଦେହ ଅସୁସ୍ଥ ରହୁଥିଲା । ହେଲେ ଆଜି (ଗୁରୁବାର) ସକାଳେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

କେଶୁଭାଇ ପଟେଲ ଗୁଜୁରାଟର ୨ ଥର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ସେ ୧୯୯୫ ଓ ୧୯୯୮ ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ୨୦୦୧ ରେ ଏକ ରାଜନୈତିକ ଅଭିସନ୍ଧି ରଖି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ଥଫା ଦେଇଥିଲେ । ଯାହା ଦ୍ୱାରା ପ୍ରଥମଥର ପରି ଦ୍ୱିତୀୟଥର ବି ସେ ତାଙ୍କର କାର୍ଯ୍ୟକାଳ ପୁରା କରିପାରି ନଥିଲେ । ଏହା ବ୍ୟତିତ କେଶୁଭାଇ ପଟେଲ ଗୁଜୁରାଟର ଉପ-ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । ୨୦୦୧ ରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ଥଫା ଦେବା ପରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
କେଶୁଭାଇ ପଟେଲଙ୍କ ଜନ୍ମ ୨୪ ଜୁଲାଇ ୧୯୨୮ ରେ ହୋଇଥିଲା । ଅଳ୍ପ ବୟସରେ ସେ ସଂଘ ପରିବାରରେ ଯୋଗ ଦେଇଥିଲେ । ଏହା ପରେ ଜନସଂଘ ଓ ପରେ ବିଜେପି ସହିତ ସେ ନିଜର ରାଜନୈତିକ କ୍ୟାରିଅର ଅନେକ ଲମ୍ବା ସମୟ ପର୍ଯ୍ୟନ୍ତ କଟାଇଥିଲେ ।

ସେ ଗୁଜୁରାଟ ବିଜେପିର ଜଣେ ବଣିଷ୍ଠ ନେତା ଭାବେ ବେସ୍ ଜଣାଶୁଣା ଥିଲେ । ଯେ କି ଜନସଂଘ ସମୟରୁ ବି ପାର୍ଟି ପାଇଁ କାମ କରିଥିଲେ । ରାଜ୍ୟରେ ବିଜେପି ତରଫରୁ ସେ ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ତାଙ୍କ ସହିତ ଦୀର୍ଘ ସମୟ ଧରି କାମ କରିଥିଲେ । ଏହା ସହ ନରେନ୍ଦ୍ର ମୋଦି ଯେତେବେଳେ ବି କୌଣସି ପଦବୀରେ ବସିବାକୁ ଯାଉଥିଲେ ସେ ପ୍ରଥମେ କେଶୁଭାଇ ପଟେଲଙ୍କ ଠାରୁ ଆର୍ଶିବାଦ ଆଣିବାକୁ ଯାଉଥିଲେ । ହେଲେ ସେ ବିଜେପିରେ ଅଲୋଡା ହୋଇପଡିବାରୁ ୨୦୧୨ ରେ ସେ ବିଜେପିରୁ ଇସ୍ଥଫା ଦେଇ ଗୁଜୁରାଟ ପରିବର୍ତ୍ତନ ପାର୍ଟି ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ । ହେଲେ ୨୦୧୪ ରେ ପୁଣିଥିରେ କେଶୁଭାଇ ପଟେଲ ଏହି ଦଳକୁ ବିଜେପିରେ ମିଶାଇ ଦେଇଥିଲେ ।