କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ କିଛି ସପ୍ତାହ ବାକି ଥିବା ବେଳେ ପୂର୍ବରୁ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ଯଶଓ୍ଵନ୍ତ ସିହ୍ନା ଆଜି ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଛନ୍ତି । ‘ବିଜେପି’ର ଏହି ୮୩ ବର୍ଷିୟ ପୂର୍ବତନ ନେତା ୨୦୧୮ରେ ଦଳ ତ୍ୟାଗ କରିଥିଲେ ।
#Kolkata: Former BJP leader Yashwant Sinha arrives at TMC Bhawan pic.twitter.com/Qhjtzpm10v
— ANI (@ANI) March 13, 2021
ମଧ୍ୟାହ୍ନ ଅତିକ୍ରାନ୍ତ ହେବାର ଅଳ୍ପ ସମୟ ପରେ ଡେରେକ୍ ଓ’ବ୍ରିଏନ୍, ସୁଦୀପ ବନ୍ଦୋପାଧ୍ୟାୟ ଏବଂ ସୁବ୍ରତ ମୁଖାର୍ଜୀଙ୍କ ଉପସ୍ଥିତିରେ କୋଲ୍କାତାରେ ଥିବା ‘ତୃଣମୂଳ ଭବନ’ରେ ସିହ୍ନା ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଛନ୍ତି । ଏ ସଂକ୍ରାନ୍ତରେ ସୁବ୍ରତ ମୁଖାର୍ଜୀ କହିଛନ୍ତି, ଯଶୋବନ୍ତ ସିହ୍ନା ଯୋଗ ଦେଇଥିବାରୁ ଆମେ ଗର୍ବିତ । ଚନ୍ଦ୍ରଶେଖରଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ନଭେମ୍ବର ୧୯୯୦ରେ ସିହ୍ନା ପ୍ରଥମେ ଅର୍ଥମନ୍ତ୍ରୀ ହୋଇ ଜୁନ୍ ୧୯୯୧ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ଦ୍ୱିତୀୟ ପାଳିରେ ୧୯୯୮ ଡିସେମ୍ବରରୁ ୨୦୦୨ ଜୁଲାଇ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଅଧୀନରେ ସିହ୍ନା ଏହି ଦାୟିତ୍ୱ ତୁଲାଇ ଥିଲେ। ଏହାପରେ ୨୦୦୪ ମେ ମାସରୁ ସେ ଭାରତର ବୈଦେଶିକ ମନ୍ତ୍ରୀ ହୋଇଥିଲେ।
୧୯୬୦ ବ୍ୟାଚ୍ର ‘ଆଇଏଏସ୍’ ଅଧିକାରୀ ସିହ୍ନା ସରକାରୀ ଚାକିରି ଛାଡ଼ି ୧୯୮୪ରେ ‘ଜନତା ପାର୍ଟି’ରେ ସାମିଲ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । ପରେ ସେ ‘ବିଜେପି’ରେ ଯୋଗ ଦେଇଥିଲେ । ଗୁରୁବାର ଦିନ ସେ ଟୁଇଟ୍ କରି ଲେଖିଥିଲେ, ବଙ୍ଗ ପାଇଁ ସଂଗ୍ରାମ ହେଉଛି ଭାରତ ପାଇଁ ସଂଗ୍ରାମ । ଏହି ନିର୍ବାଚନରେ ବଙ୍ଗର ଭୋଟ୍ଦାତାମାନେ ଭାରତର ଭବିଷ୍ୟତ ନିମନ୍ତେ ଭୋଟ୍ ଦେବେ। ତାଙ୍କ ପୁତ୍ର ଜୟନ୍ତ ସିହ୍ନା ସମ୍ପ୍ରତି ‘ବିଜେପି’ ସଦସ୍ୟ ତଥା ଝାଡ଼ଖଣ୍ଡର ହଜାରିବାଗର ସାଂସଦ ଅଛନ୍ତି ।